ଏପ୍ରିଲ୧ରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଗାମୀ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ଭୁବନେଶ୍ୱର ସ୍ଥିତ ଇଡିକଲ ଅଡିଟୋରିୟମରେ ଆୟୋଜନ କରାଯିବ। ରାଜ୍ୟରେ ବେରୋଜଗାର, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନହେବା, ଶିକ୍ଷିତ ଯୁବକଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ନମିଳିବା ଆଦି ପ୍ରସଙ୍ଗ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୁତ ଭାବେ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ଏହି କାର୍ଯ୍ୟକାରିଣୀ ବୈଠକରେ ଯୁବମୋର୍ଚ୍ଚାର ରାଜ୍ୟ ପଦାଧିକାରୀ, ରାଜ୍ୟ ସଂଯୋଜକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ଜିଲ୍ଲା ସଭାପତି ପ୍ରମୁଖ ଯୋଗଦେବେ। ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର ଓ ଦୀପକ ଗୋଚ୍ଛାୟତ, ସମ୍ପାଦକ ପ୍ରିତେଶ କୁମାର ଭୋଇଧର, ପ୍ରକାଶ ଦଳେଇ ଏବଂ ମନୋଜ ପଶ୍ଚିମ କବାଟ ପ୍ରମୁଖ ଉପସ୍ଥିତ ଥିଲେ।