ଇନ୍ଦୋରରେ ଖୋଲିବ ‘ଗୁଲାବି ଗ୍ୟାଙ୍ଗ୍’ ଶାଖା

ଭୋପାଳ,ଏଜେନ୍ସି: ମହିଳା ଓ ଶିଶୁଙ୍କ ବିରୋଧରେ ଚାଲିଥିବା ନିର୍ଯାତନା ଓ ଯୌନଶୋଷଣ ପ୍ରସଙ୍ଗରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ‘ଗୁଲାବି ଗ୍ୟାଙ୍ଗ’ର ଏକ ଶାଖା ଖୁବଶୀଘ୍ର ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଖୋଲିବ ବୋଲି ସଂଗଠନର ମହାରାଷ୍ଟ୍ର ଶାଖା କମାଣ୍ଡର ପୂର୍ଣ୍ଣିମା ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମହିଳା ଓ ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବା କେବଳ ସରକାରଙ୍କର ନୁହେଁ, ବରଂ ଏଭଳି ସଂଗଠନ ଜରିଆରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ବର୍ମା ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଭାରତର ଅଧିକାଂଶ ସହରରେ ‘ଗୁଲାବି ଗ୍ୟାଙ୍ଗ୍’ର ଶାଖା କାର୍ଯ୍ୟ କରୁଛି। ସେଠାରେ ମହିଳା ଓ ଯୁବତୀଙ୍କୁ ଆତ୍ମରକ୍ଷା ନିମନ୍ତେ ଜୁଡୋ, କରାଟେ, ଦେଶୀୟ କୁସ୍ତି ସମେତ ଅନ୍ୟ ବିଷୟରେ ତାଲିମ ଦିଆଯିବା ସହ ମାନସିକସ୍ତରରେ ମହିଳାଙ୍କୁ ସଶକ୍ତ କରିବାର ଯୋଜନା କାର୍ଯ୍ୟକାରୀ କରାଯାଇଥାଏ।