ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ

କୋଲକାତା,ଏଜେନ୍ସି: ଚଳିତମାସ ୮ରୁ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସହରରେ ଦୁଇଚକିଆ ଯାନ ଚାଳକଙ୍କ ନିମନ୍ତେ ନୂଆ ନିୟମ କଡାକଡିଭାବେ ଲାଗୁ କରାଯିବ ବୋଲି ଜଣାପଡିଛି। ହେଲମେଟ୍ ପିନ୍ଧିନଥିଲେ ସେମାନଙ୍କୁ ଟାଙ୍କିରେ ପେଟ୍ରୋଲ ମିଳିବ ନାହିଁ ବୋଲି କୋଲକାତା ପୁଲିସ କମିଶସର ସୂଚନା ଦେଇଛନ୍ତି। କେତେକ କ୍ଷେତ୍ରରେ ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତି ଦୁର୍ଘଟଣାର ଶିକାର ହେଲେ ଗୁରୁତର ଆଘାତପ୍ରାପ୍ତ ହେଉଥିବା ଏବଂ ସ୍ଥଳବିଶେଷରେ କେତେକଙ୍କ ପ୍ରାଣହାନି ଘଟୁଥିବାରୁ କୋଲକାତା ପୁଲିସ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଥିବା କୁହାଯାଇଛି। ପୂର୍ବରୁ ଏଭଳି କଟକଣା ଲାଗୁ କରାଯାଇଥିଲେ ସୁଦ୍ଧା ଗାଡି ଚାଳକ ଏହାକୁ ମାନୁନଥିଲେ ବୋଲି ଜଣେ ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି। ତେଣୁ ପୁଲିସ ଯଦି ଉଲ୍ଲଂଘନକାରୀଙ୍କୁ ସାବାଡ କରିବାରେ ସମର୍ଥ ହେବ, ତାହାହେଲେ ଅମାନିଆ ଗାଡିଚାଳକମାନେ ହେଲମେଟ୍ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରିପାରିବେ ବୋଲି ଆଶା କରାଯାଉଛି।