ଘାଟିରେ ଓଲଟିଲା ପିକନିକ୍ ବସ୍: ଜଣେ ମୃତ, ୩୦ଆହତ

ସାନଖେମୁଣ୍ଡି,ଏନ୍ଏନ୍ଏସ୍: ପାଟପୁର ଥାନା ଅନ୍ତର୍ଗତ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ୩୨୬ ନଂ ଜାତୀୟ ରାଜପଥସ୍ଥିତ ହନୁମାନ ମନ୍ଦିର ଆଗରେ ରାତି ୮ଟା ବେଳେ ପିକନିକ୍ ବସ୍‍ ସହ ଏକ ବାଇକ୍‍ ଧକ୍କା ହୋଇଛି। ଏଥିରେ ଘଷିଆମ୍ବ ଗ୍ରାମର ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ବାଇକ୍ ସହ ଧକ୍କା ହେବାପରେ ବସ୍ଟି ଓଲଟି ପଡିଥିଲା। ଫଳରେ ବସରେ ବସିଥିବା ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନାରୁ ପ୍ରକାଶ, ନୟାଗଡ ଜିଲ୍ଲାରୁ ଚନ୍ଦ୍ରଗିରି ଖସଡା ପିକନିକ୍ ନିମନ୍ତେ ଏହି ବସଟି ଆସିଥିଲା। ପିକନିକ୍ ସାରି ବସଟି ଖସଡାରୁ ନୟାଗଡ ଫେରୁଥିବାବେଳେ ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ବସ୍ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚ ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିବା ସହ ତଦନ୍ତ ଜାରି ରଖିଛନ୍ତି।