କାଲିଠୁ କମିବ ତାପମାତ୍ରା: ୨ ଦିନ ଯାଏ ଘନ କୁହୁଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି। ୧୬ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ, କୋରାପୁଟ ଆଦି ସହରରେ ପ୍ରବଳ କୁହୁଡ଼ି ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରବିବାର ପାଇଁ ରାଜ୍ୟର କିଛି ସ୍ଥାନରେ ହାଲକା ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବାବେଳେ ଏହା ପରେ ଶୀତର ପ୍ରକୋପ ବଢ଼ିବ ବୋଲି ବିଭାଗ ପୂର୍ବାନୁମାନ କରିଛି।

ସେପଟେ ଶନିବାର ତୁଳନାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଏହା ଆହୁରି କମିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବିଶେଷ କରି ଉପକୂଳ ଓଡ଼ିଶାରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାକୁ ଥିବାବେଳେ ଉତ୍ତର ଓଡ଼ିଶା ସମେତ ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ କୋରାପୁଟ ଆଦି ସହରରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଡିସେମ୍ବର ମାସ ଏହି ସମୟରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଚଳିତ ବର୍ଷ ସେମିତି ସ୍ଥିତି ନାହିଁ। ଦିନରେ ତାପମାତ୍ରା ଆବଶ୍ୟକତାଠାରୁ ଅଧିକ ରହୁଛି ଓ ରାତିରେ ମଧ୍ୟ ତାପମାତ୍ରା ସେତେମାତ୍ରାରେ ହ୍ରାସ ପାଉନାହିଁ। ତେଣୁ ଅଧିକ ଶୀତ ହୋଇପାରୁନାହିଁ। ତେବେ ଆଗାମୀ ଦୁଇତିନି ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ନିୟମିତ ଭାବେ ପାରଦ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସେପଟେ ୧୫ ତାରିଖରୁ ରାଜ୍ୟର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବା ଆରମ୍ଭ ହୋଇ ୧୮ ତାରିଖ ପରଠାରୁ ନିୟମିତ ଭାବେ ହ୍ରାସ ପାଇବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି।