ପରିବା ବିକାଳି ଓ ଓମଫେଡ ଗାଡ଼ି ଚାଳକଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳର ୨ଟି ଥାନା ଅଞ୍ଚଳରେ ଜଣେ ପରିବା ବିକାଳି ଓ ଜଣେ ଓମଫେଡ ଗାଡ଼ି ଚାଳକଙ୍କୁ ପୁଲିସ ମାଡ଼ ମାରିବା ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଆଜି ଉକ୍ତ ଘଟଣାର ତଦନ୍ତ ପାଇଁ ନୂତନ କନ୍ଧମାଳ ଏସପି ଭିନିତ ଅଗ୍ରୱାଲା ସମ୍ପୃକ୍ତ ଥାନା ଅଧିକାରୀ ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।


ପ୍ରକାଶ ଯେ, ଘୁ-ଉଦୟଗିରି ଓ ରାଇକିଆ ଥାନା ଅଞ୍ଚଳରେ ଗତ କିଛିଦିନ ତଳେ ପୁଲିସ ଜଣେ ପରିବା ବିକାଳି ଓ ଓମଫେଡ ଗାଡ଼ି ଚାଳକଙ୍କୁ ମାଡ଼ ମାରିବାର ଭିଡିଓ ଭାଇରାଲ ହୋଇଥିଲା। ଜିଲ୍ଲାରେ ପୁଲିସର ଏଭଳି ଆଚରଣ ଜିଲ୍ଲାବାସୀଙ୍କୁ ମର୍ମାହତ କରିଛି ବୋଲି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଲିଖିତ ଭାବେ କନ୍ଧମାଳ ଏସପିଙ୍କୁ ପ୍ରଦାନ କରାଯାଇଥିବା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ ପ୍ରେସ୍ ବିବୃତ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।