ଏଲଏସିରେ ଚୀନକୁ ଜଗିବ ମିଗ-୨୯

ନୂଆଦିଲ୍ଲୀ,ଏଜେନ୍ସି : ଲଦାଖର ଗଲୱାନ ଉପତ୍ୟକାରେ ଚୀନସେନାର ହରକତ ଉପରେ ସତର୍କ ନଜର ରଖିବ ମିଗ୍-୨୯। ତା’ ସହିତ ସୀମାନ୍ତ ଜଗିବା କାମରେ ଯବାନଙ୍କୁ ସାହାଯ୍ୟ କରିବା ପାଇଁ ଡ୍ରୋନ ବ୍ୟବହାର କରାଯିବ। ଭାରତର ତିନିସେନା ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ନିର୍ଦ୍ଦେଶନାମା ଅନୁସାରେ ଏଣିକି ଭାରତର ଉତ୍ତର ପାଶ୍ୱର୍ ଜଗିବା ଦାୟିତ୍ୱରେ ଲଢୁଆ ଜେଟ ମିଗ-୨୯କୁ ନିୟୋଜିତ କରାଯିବ। ନିକଟ ଅତୀତରେ ଜେନେରାଲ ରାୱତ ଆକ୍ରମଣ ଆଶଙ୍କା କରି ଭାରତର ଉତ୍ତର-ପଶ୍ଚିମ ସୀମାରେ ବାୟୁସେନା ସହିତ ନୌସେନାର ଫାଇଟର ଜେଟ ମୁତୟନ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଭାରତୀୟ ସେନାବାହିନୀର ଡ୍ରୋନ ଦାବିକୁ ପୂରଣ କରିଛି ଡିଆରଡିଓ। ଏଣିକି ସୀମା ଜଗିବା କାମରେ ଯବାନଙ୍କୁ ସାହାଯ୍ୟ କରିବ ଡ୍ରୋନ୍। ସେନାବାହିନୀ ପାଇଥିବା ଡ୍ରୋନ୍ ବେଶ ହାଲୁକା ଓ ଆଧୁନିକ ଜ୍ଞାନକୌଶଳରେ ତିଆରି ହୋଇଛି। ନୌସେନା ପାଖରେ ଏବେ ରୁଷିଆ ନିର୍ମିତ ୪୦ଟି ମିଗ-୨୯ ଅଛି।