ଫୁଲବାଣୀ,ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଛାପଡ଼ା ପୁଲିସ ଗୁରୁବାର ପାହିରାଜୁ ପଞ୍ଚାୟତ ଡ୍ରେସରୁ ଗ୍ରାମରେ ଚଢଉ କରି ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଆଜି ଏନେଇ ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି। ଶ୍ରୀ ମୁର୍ମୁଙ୍କ ସୂଚନା ଅନୁଯାୟୀ, ଗତକାଲି ଗୋଛାପଡ଼ା ଥାନା ପାହିରାଜୁ ପଞ୍ଚାୟତର ଡ୍ରେସରୁ ଠାରେ କିଛି ମାଫିଆ ଚାଲାଣ ପାଇଁ ଗଞ୍ଜଇ ଠୁଳ କରିଥିବା ବିଶ୍ୱସ୍ଥ ସୂତ୍ରରୁ ପୁଲିସ ଖବର ପାଇଥିଲା। ଥାନାଅଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗତକାଲି ଚଢ଼ଉ କରିଥିଲା। ଚଢଉ ବେଳେ ପୁଲିସ ସେଠାରେ ୪୧ଟି ବସ୍ତାରେ ୨୦ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ପାଇଥିଲା।
ତେବେ ଚଢଉ ବେଳେ ୨ ଜଣ ମାଫିଆ ଧରାପଡିଥିବାବେଳେ ଅନ୍ୟ ୧୨ ଜଣ ଫେରାର ହୋଇଯାଇଥିଲେ। ଧରାପଡିଥିବା ଦୁଇଜଣ ହେଲେ ବି.କହଁର(୨୫) ଓ ବଡ଼ଗା ଦିଗାଲ(୪୫)। ପୁଲିସ ଗିରଫ ଦୁଇ ଅଭିଯୁକ୍ତଙ୍କ ସମେତ ଫେରାର ହୋଇଯାଇଥିବା ଅନ୍ୟ ୧୨ ଜଣ ଏପରି ମୋଟ ୧୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।