ପିଏଫ୍ ଟଙ୍କା ଟ୍ରାନ୍ସଫର କରିବା ହେବ ସହଜ, ଘରୋଇ କଂପାନୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ସର୍ବାଧିକ ଲାଭ

ନୂଆଦିଲ୍ଲୀ,ଏଜେନ୍ସି: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଚାକିରିଆ ମାନଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିବାକୁ ପଦକ୍ଷେପ ନେଇଛି। ଘରୋଇ କଂପାନୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏଥିରୁ ଅଧିକ ଲାଭ ମିଳିବ।

ଇପିଏଫ୍‌ଓର ସେଣ୍ଟ୍ରାଲଇଜ୍‌ ଆଇଟି ସିଷ୍ଟମ୍କୁ ମଞ୍ଜୁରୀ ଦେଇଛି। ଏହା ଦ୍ୱାରା ଜଣେ କର୍ମଚାରୀଙ୍କୁ ଚାକିରି ଛାଡ଼ି ଅନ୍ୟ ସ୍ଥାନରେ ଯୋଗଦେବା ସମୟରେ ନିଜର ପୁରୁଣା କଂପାନୀର ଇପିଏଫ ଖାତାର ଟଙ୍କାକୁ ନୂଆ କଂପାନୀରେ ଖୋଲିବାକୁ ଥିବା ଇପିଏଫ୍‌ ଖାତାରେ ଟ୍ରାନ୍ସଫର କରିବାକୁ ପଡ଼ିବ ନାହିଁ। ଏହା ଆପେ ଆପେ ଟ୍ରାନ୍ସଫର ହୋଇଯିବ। ଏହି ଅତ୍ୟାଧୁନିକ ସିଷ୍ଟମକୁ ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସ କମ୍ପ୍ୟୁଟିଙ୍ଗ ପ୍ରସ୍ତୁତ କରୁଛି।

ଇପିଏଫ୍‌ଓ ପାଇଁ ଅନ୍ତିମ ନିଷ୍ପତ୍ତି ନେଇଥିବା ଶାଖା ’ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟ୍ରୀଜ୍‌ର ୨୨୯ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି, ଯାହାଦ୍ୱାରା ଘରୋଇ କଂପାନୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅଧିକ ଲାଭ ମିଳିବ। ବର୍ତ୍ତମାନର ନିୟମ ଅନୁସାରେ ଜଣେ ବ୍ୟକ୍ତି ଚାକିରି ଛାଡ଼ି ଅନ୍ୟ କଂପାନୀରେ ଯୋଗଦେଲେ ପିଏଫ୍‌ ଟଙ୍କା ଟ୍ରାନ୍ସଫର କରିବାରେ ଦୀର୍ଘକାଳୀନ ବ୍ୟବସ୍ଥା ରହିଛି। ଏହି କାରଣରୁ ଅନେକ କର୍ମଚାରୀ ନିଜର ଟଙ୍କାକୁ ଟ୍ରାନ୍ସଫର କରିପାରି ନଥାନ୍ତି।