ହାଇଦ୍ରାବାଦ୍‌ ଚିଡ଼ିଆଖାନାରେ ସିଂହ ଖୁଆଡ଼କୁ ଡେଇଁବା ଲାଗି ଉଦ୍ୟମ କଲେ ଯୁବକ, ଭିଡିଓ ଭାଇରାଲ

ହାଇଦ୍ରାବାଦ,ଏଜେନ୍ସି: ସ୍ଥାନୀୟ ନେହରୁ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଜଣେ ଯୁବକ ସିଂହ ରହୁଥିବା ଖୁଆଡ଼କୁ ଡେଇଁବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ଏହା ପୂର୍ବରୁ ଯୁବକଙ୍କୁ ଅନ୍ୟମାନେ କାବୁ କରି ପୁଲିସ ନିକଟରେ ଜିମା ଦେଇଛନ୍ତି। ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଜି ସାଈ ନାମରେ ଜଣେ ଯୁବକ ସିଂହ ନିକଟରେ ଅସୁରକ୍ଷିତ ଭାବେ ଚାଲୁଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଯୁବକ ଜଣକ ଯେଉଁ ଠାରେ ଏହି କାଣ୍ଡ କରିଥିଲେ, ଏହା ଆଫ୍ରିକୀୟ ସିଂହର ଖୁଆଡ଼ ଥିଲା। ଏହି ଅଂଚଳ ସଂପୂର୍ଣ୍ଣ କଟକଣା ଭିତରେ ଥାଏ। ଯୁବକ ଜଣକ ସେଠାରେ ହଠାତ ବସି ପଡ଼ି ସିଂହ ଖୁଆଡ଼ ଆଡ଼କୁ ଡେଇଁବାକୁ ଉଦ୍ୟମ କରିଥିଲା। ସିଂହ ମଧ୍ୟ ଯୁବକ ଡେଇଁବାକୁ ଅପେକ୍ଷା କରିଥିଲା।

ତେବେ ଯୁବକଙ୍କୁ ଦେଖୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ଡରି ବି ଯାଇଥିଲେ। ପର୍ଯ୍ୟଟକମାନେ ଚିତ୍କାର କରିଥିଲେ। ଯୁବକଙ୍କୁ ଉପସ୍ଥିତ ଜନତା କାବୁ କରିନେଇଥିଲେ ଏବଂ ଚିଡ଼ିଆଖାନାର କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ। ପରେ ସ୍ଥାନୀୟ କର୍ତ୍ତୃପକ୍ଷ ବାହାଦୂରପୁରା ପୁଲିସ ଷ୍ଟେସନରେ ଜିମା ଦେଇଥିଲେ। ଏଥି ସହିତ ଥାନାରେ ଏକ ଏତଲା ଦାୟର କରିଥିଲେ। ପରେ ଜାଣିବାକୁ ମିଳିଛି ଯେ, ସଂପୃକ୍ତ ଯୁବକଙ୍କର ମାନସିକ ଅବସ୍ଥା ଠିକ୍‌ ନଥିଲା।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ଦିଲ୍ଲୀରେ ଏଭଳି ଏକ ଘଟଣା ଘଟିଥିଲା। ଦିଲ୍ଲୀ ଚିଡିଆଖାନାରେ ଜଣେ ଯୁବକ ସିଂହର ଖୁଆଡ଼କୁ ପଶିଯାଇଥିଲା। ସେ ସିଂହ ସହିତ ସେଲ୍‌ଫି ନେଇଥିଲା। ପରେ ଚିଡିଆଖାନାର କର୍ମଚାରୀମାନେ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ।