ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୩୦ ଟଙ୍କା ବୃଦ୍ଧି, ନୂଆ ଦର ୧୭୯ରୁ ଅଧିକ

ଇସଲାମାବାଦ,ଏଜେନ୍ସି: ପାକିସ୍ତାନର ଆଥିର୍କ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ସରକାର ପେଟ୍ରୋଲ-ଡିଜେଲ ଦର ପୁଣି ବଢ଼ାଇଛି। ପେଟ୍ରୋଲିୟମ ଉତ୍ପାଦର ସାମଗ୍ରୀଗୁଡ଼ିକ ଲିଟର ପିଛା ୩୦ ଟଙ୍କା ବଢ଼ାଇ ଦିଆଯାଇଛି। ଗୁରୁବାର ଏହା ଘୋଷଣା କରାଯାଇଛି। ଏଥି ସହିତ ଗୁରୁବାର-ଶୁକ୍ରବାର ରାତିରୁ ନୂଆ ଦର ଲାଗୁ ହୋଇଯାଇଛି। ତେବେ ଏବେ ଇସଲାମାବାଦରେ ପେଟ୍ରୋଲ ଲିଟର ପିଛା ୧୭୯ଟଙ୍କା ୮୫ ପଇସା ଥିବା ବେଳେ ଡିଜେଲ ଦର ୧୭୪ଟଙ୍କା ୧୫ ପଇସାରେ ପହଞ୍ଚିଛି। ସେହିପରି କିରାସିନି ଦର ୧୫୫ଟଙ୍କା ୯୫ ପଇସା ହୋଇଛି।

ଦରବୃଦ୍ଧି ଯୋଗୁଁ ଏମତିରେ ପାକିସ୍ତାନରେ ହାହାକାର ଦେଖାଯାଇଛି। ଏବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଦେଶର ଜନତା ଆହୁରି ଅଧିକ ପ୍ରଭାବିତ ହେବେ। କାରଣ ଅନ୍ୟ ସାମଗ୍ରୀଗୁଡ଼ିକର ଦର ମଧ୍ୟ ହୁ ହୁ ହୋଇ ବଢ଼ିଯିବ। ପାକିସ୍ତାନର ଅର୍ଥମନ୍ତ୍ରୀ ମିଫତାହ ଇସ୍‌ମାଇଲ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଗୁରୁବାର ରାତି ପରଠାରୁ ନୂଆ ଦର ଲାଗୁ ହେବ।