ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ଅବନ୍ତୀପୋରାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ମୁହାଁମୁହିଁ ହୋଇଛି। ଏଥିରେ ସୁରକ୍ଷା ବାହିନୀର ଯବାନମାନେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଯେଉଁ ୨ ଆତଙ୍କବାଦୀ ନିହତ ହୋଇଛନ୍ତି, ସେମାନେ କଶ୍ମୀରୀ ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ହତ୍ୟା କରିଥିଲେ। ତେବେ ସେନାର ତଲାଶୀ ଅଭିଯାନ ଜାରି ରହିଥିବା ନେଇ କଶ୍ମୀର ଆଇଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କଶ୍ମୀର ଆଇଜିପି କହିଛନ୍ତି ଯେ, ଟିଭି କଳାକାରଙ୍କୁ ହତ୍ୟା କରାଯିବାର ୨୪ ଘଣ୍ଟା ମଧ୍ୟରେ ସେନା କାର୍ଯ୍ୟାନୁଷ୍ଠାନ ନେଇଛି। ଘାଟିରେ ୩ ଦିନରେ ଜୈଶ-ଏ-ମହମ୍ମଦର ୩ ଓ ଲଶ୍କର-ଏ-ତଇବାର ୭ ଜଣ ଆତଙ୍କବାଦୀଙ୍କୁ ନହିତ କରାଯାଇଛି।
ସୂଚନାଯୋଗ୍ୟ, ବୁଧବାର ବଡ଼ଗାମ ଜିଲ୍ଲାର ଚଦୁରାର ହିଶାରୁ ଅଞ୍ଚଳରେ ଅଭିନେତ୍ରୀ ଅମରୀନ ନିଜ ପୁତିରା ସହିତ ଘର ବାହାରେ ଛିଡ଼ା ହୋଇଥିଲେ। ସନ୍ଧ୍ୟା ୭ଟା ୫୫ମିନିଟରେ ୨ ଜଣ ଆତଙ୍କବାଦୀ ହଠାତ ପହଞ୍ଚି ଥିଲେ ଏବଂ ଗୁଳି କରିଥିଲେ। ଆକ୍ରମଣର ଶିକାର ହେବା ପରେ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା।