କମିଲା ତେଲ ଦର: ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ ହଟାଇଲା ରାଜସ୍ଥାନ-କେରଳ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାର ଶନିବାର ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣ ନିଷ୍ପତ୍ତିରେ ଦେଶର ସାଧାରଣ ଜନତାଙ୍କୁ ଲାଭ ପହଞ୍ଚାଇବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପେଟ୍ରୋଲ ଦର ୯ଟଙ୍କା ୫୦ ପଇସା ଲିଟର ପିଛା ଓ ଡିଜେଲ ଦର ଲିଟର ପିଛା ୭ ଟଙ୍କା ହ୍ରାସ ଆସିବ। କିନ୍ତୁ ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟମାନଙ୍କର ଦାୟିତ୍ୱ ବଢ଼ିଯାଇଛି। କାରଣ ରାଜ୍ୟ ସରକାରମନଙ୍କ ଉପରେ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହ୍ରାସ କରିବାକୁ ନେଇ ଚାପ ବଢ଼ିଯାଇଛି।

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପରେ କେରଳ ଓ ରାଜସ୍ଥାନ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହଟାଇଛନ୍ତି। କେରଳ ସରକାର ପେଟ୍ରୋଲ ଲିଟର ପିଛା ୨.୪୧ ଟଙ୍କା ଭ୍ୟାଟ ହ୍ରାସ କରିଛନ୍ତି। ଡିଜେଲ ଉପରୁ ଲିଟର ପିଛା ୧.୩୬ ପଇସା ଭ୍ୟାଟ୍ କମ କରିଦେଇଛନ୍ତି। ଏମିତିରେ କେରଳରେ ପେଟ୍ରୋଲ ଲିଟର ପିଛା ୧୧.୯୧ ଟଙ୍କା ହ୍ରାସ ପାଇଛି। ସେହିପରି ରାଜସ୍ଥାନ ସରକାର ମଧ୍ୟ ରାଜ୍ୟର ଜନତାଙ୍କୁ ଆଶ୍ୱସ୍ଥି ଦେବା ପାଇଁ ଭ୍ୟାଟ ହ୍ରାସ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋ ଟୁଇ୍‌ଟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଦ୍ୱାରା ପେଟ୍ରୋଲ-ଡିଜେଲର ଦର ହ୍ରାସ ପରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୨.୪୮ ଟଙ୍କା ପ୍ରତି ଲିଟର ଓ ଡିଜେଲ ଉପରେ ୧.୧୬ ଟଙ୍କା ଲିଟର ପିଛା ଭ୍ୟାଟ କମ କରିଛନ୍ତି। ରାଜ୍ୟରେ ଏବେ ପେଟ୍ରୋଲ ଲିଟର ପିଛା ୧୦ଟଙ୍କା ୪୮ ପଇସା ଓ ଡିଜେଲ ୭ଟଙ୍କା ୧୬ ପଇସା ଲିଟର ପିଛା ଶସ୍ତା ହେବ। ଏହା ଦ୍ୱାରା ରାଜ୍ୟକୁ ପାଖାପାଖି ୧୨୦୦ କୋଟି ଟଙ୍କା ପ୍ରତିବର୍ଷ ରାଜସ୍ୱ ହରାଇବାକୁ ପଡ଼ିବ। ପୂର୍ବରୁ ୨ ଥର ଭ୍ୟାଟ ହ୍ରାସ କରାଯାଇଥିବାରୁ ୬୩୦୦ କୋଟି ଟଙ୍କା ରାଜସ୍ୱ ହାନୀ ହୋଇଥିଲା।