ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜାଗା ଦେବା ଦାବିରେ ବିଜେଡି କର୍ମୀଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହରର ବିଭିନ୍ନ ସ୍ଥାନରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜାଗା ପ୍ରଦାନ କରାଯାଇନାହିଁ। ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜାଗା ପ୍ରଦାନ ଦାବିରେ ଆଜି ବିଜୁ ଜନତା ଦଳର ପକ୍ଷରୁ ଏକ ବିଶାଳ ରାଲି କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଏହି ରାଲିରେ ବାହାରି ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି।

ରାଜ୍ୟ ସରକାର ବସ୍ତି ବାସିନ୍ଦାମାନଙ୍କୁ ଥଇଥାନ କରିବା ପାଇଁ ଯୋଜନା ଆରମ୍ଭ କରିଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ରାୟଗଡ଼ା ସହରର ବସ୍ତିବାସିନ୍ଦା ମାନଙ୍କୁ ସ୍ଥାୟୀ ଜାଗା ପ୍ରଦାନରେ ବିଳମ୍ବ ଘଟୁଛି। ଆୟୋଜିତ ରାଲିରେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବାଶିଷ ଖାଡେଙ୍ଗା, ଜଗଦିଶ ପାତ୍ର, ବିନାୟକ କର, ବିନାୟକ ପୋଲେଇ ପାତ୍ର, ସୁଜାତା ପାଳ, ଅନସୂୟା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।