ବିଡିଓଙ୍କୁ ପିଇଓଙ୍କ ସ୍ମାରକ ପତ୍ର : ୭ରୁ କଳାବ୍ୟାଚ ପରିଧାନ ଓ ୧୮ରୁ ସମୂହ ଛୁଟି

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାଜ୍ୟ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ନିଷ୍ପତ୍ତିକ୍ରମେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ୧୭ଟି ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆଜି ବ୍ଲକ ସଂଘ ସଭାପତି କୈଳାଶ ଚନ୍ଦ୍ର ପାତ୍ର ଓ ସମ୍ପାଦକ ପ୍ରଭାକର ନାଲାଙ୍କ ନେତୃତ୍ୱରେ ସମସ୍ତ ପିଇଓ ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ବିଡିଓ ପ୍ରିତମ କୁମାର ତନ୍ତିଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ପିଇଓଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ପରିବର୍ତ୍ତେ ସ୍ନାତକ କରିବା ସହ ସେମାନଙ୍କ ଦରମା ୨୧ହଜାର ୭୦୦ଟଙ୍କା(ପେ ଲେବୁଲ ୫)ରୁ ୩୫ହଜାର ୪୦୦ଟଙ୍କା(ପେ ଲେବୁଲ୍ ୯) ଧାର୍ଯ୍ୟ କରାଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ୧୦ବର୍ଷ ଚାକିରି କରିଥିବା ପିଇଓଙ୍କୁ ଉଚ୍ଚ ପଦବୀକୁ ପଦନ୍ନୋତି କରିବା ସହ ସେମାନଙ୍କୁ ଓପିଆରଏସ କ୍ୟାଡରରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ଦାବୀ ହୋଇଛି । ମୁନିଗୁଡ଼ା ବିଡିଓ ତନ୍ତୀ ଏହି ଦାବୀପତ୍ରକୁ ରାୟଗଡ଼ା ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ଯଦି ସରକାର ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ନକରନ୍ତି ତେବେ ବ୍ଲକର କାର୍ଯ୍ୟରତ ସମସ୍ତ ପିଇଓ ୭ରୁ୧୭ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ସେମାନଙ୍କ ପ୍ରତିବାଦ ଜାହିର କରିବେ ବୋଲି ଉଭୟ ସଭାପତି ଶ୍ରୀଯୁକ୍ତ ପାତ୍ର ଓ ସମ୍ପାଦକ ଶ୍ରୀଯୁକ୍ତ ନାଲା ଗଣମାଧ୍ୟମକୁ ଜଣାଇଛନ୍ତି । ପରେ ୧୮ ତାରିଖରୁ ସମସ୍ତେ ସମୂହ ଛୁଟିରେ ରହିବାକୁ ରାଜ୍ୟ ସଂଘ ନିଷ୍ପତ୍ତି ଅନୁସାରେ ସ୍ଥିର କରିଛନ୍ତି । ଏହିି ଦାବୀପତ୍ର ପ୍ରଦାନ ସମୟରେ ଉଭୟ ସଭାପତି ଓ ସମ୍ପାଦକଙ୍କ ସହ ସନ୍ୟାସୀ ଟାକିରି, ସୁନିଲ ଯାଦବ, ମନୋରଞ୍ଜନ ବେହେରା, ଗଦାଧର ମିଶ୍ର, ଗୋବିନ୍ଦ ସୁନା, ମାଧବ ମହାନନ୍ଦିଆ, ଦିନେଶ ଶବର, ରମେଶ ତୁଳ ଓ ଅକ୍ଷୟ ବେହେରା ପ୍ରମୁଖ ବିଭିନ୍ନ ପଞ୍ଚାୟତର ପିଇଓମାନେ ଉପସ୍ଥିତ ଥିଲେ ।