ଭିନ୍ନକ୍ଷମଙ୍କୁ ମିଳିପାରୁନି ସରକାରୀ ଯୋଜନାର ସୁଫଳ

ଦେବଗଡ଼,ଏନ୍ଏନ୍ଏସ୍: ଭିନ୍ନକ୍ଷମଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସ୍ଥିତି ଭିନ୍ନ ଥିବା ଦେଖିବାକୁ ମିଳିଛି। ରିଆମାଳ ବ୍ଲକ ଅନ୍ତର୍ଗତ ଟିମୁର ଗ୍ରାମର ଈଶ୍ୱର ଚନ୍ଦ୍ର ସାହୁ, ବାବାରାକୋଟ ଗ୍ରାମର ଅରବିନ୍ଦ ପ୍ରଧାନ ଓ ପବିତ୍ର ପ୍ରଧାନ ଶତ ପ୍ରତିଶତ ଭିନ୍ନକ୍ଷମ ଥିବା ମେଡିକାଲ ବୋର୍ଡର ପ୍ରମାଣପତ୍ର ଧରି ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆବେଦନ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ଥିବା ଜଣାପଡ଼ିଛି। ଆବେଦନ ପାଇଁ ଗଲେ ସରକାରୀ ବାବୁମାନେ ସେମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ବିଭିନ୍ନ ଆଳ କରି ବାରମ୍ବାର ଫେରାଇ ଦେଉଥିବା ଅଭିଯୋଗ କରିଛନ୍ତି। ଜିଲ୍ଲାରେ ଅନେକ ସମୟରେ ପ୍ରତ୍ୟେକ ବ୍ଲକରେ ବିଭନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜନ କରାଯାଇ ସେମାନଙ୍କୁ ସହାୟତା ଆଳରେ ଲକ୍ଷାଧିକ ଟଙ୍କା ବାଟମାରଣା କରୁଥିବା ବେଳେ ପ୍ରକୃତ ଭିନ୍ନକ୍ଷମ କିନ୍ତୁ ଯଥାପୂର୍ବଂ ତଥା ପରଂ ସ୍ଥିତିରେ ରହିଛନ୍ତି। କେବଳ ଉପରୋକ୍ତ ୩ଜଣ ନୁହନ୍ତି ବରଂ ଏଭଳି ଅନେକ ଭିନ୍ନକ୍ଷମ ଆଜି ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ବାବୁଙ୍କ ଅବହେଳାର ଶିକାର ହେଉଥିବା ଜଣାପଡ଼ିଛି।