ବିଦ୍ୟୁତ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୟାଗଡ଼,ଏନ୍ଏନ୍ଏସ୍: ଜିଲ୍ଲାରେ ବିଦ୍ୟୁତ ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି। ଏଥିପାଇଁ ସାଧାରଣଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ବୁଧବାର ଦିନ ୨ଟା ପରଠାରୁ ଲାଠିପଡ଼ା ବିଦ୍ୟୁତ୍ ସବଷ୍ଟେସନ ଦ୍ୱାରା ବିଦ୍ୟୁତ୍ ଯୋଗାଣ ହେଉଥିବା ୪ଟି ପଞ୍ଚାୟତରେ ଅନ୍ଧକାର ପରିସ୍ଥିତି ସୃଷ୍ଟି ହୋଇଛି। ସବଷ୍ଟେସନରେ ବିଦ୍ୟୁତ୍ ସମସ୍ୟା ଦେଖା ଦେବାରୁ ବାରମ୍ବାର ବିଦ୍ୟୁତ୍ କାଟ କରାଯିବା ଏବଂ ୫ଟି ଟ୍ରାନ୍ସଫରମରକୁ ବିଦ୍ୟୁତ୍ ଯୋଗାଣ ଦେଇ ଅନ୍ୟକୁ ବିଚ୍ଛିନ୍ନ କରାଯାଇଛି।

ଫଳରେ ବୁଧବାର ରାତିସାରା ଅନ୍ଧକାର ପରିସ୍ଥିତି ଦେଇ ଲାଠିପଡ଼ା, ଗମ୍ଭାରିଡିହି, ଇକିରି ଏବଂ ନୋତର ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ କାଳାତିପାତ କରିଥିଲେ। ଏହାକୁ ନେଇ ଗତକାଲି ସନ୍ଧ୍ୟା ସମୟରେ ଲାଠିପଡ଼ାଠାରେ ଶହ ଶହ ସଂଖ୍ୟାରେ ଲୋକ ରାସ୍ତାରୋକ କରିବା ସହ ବିଦ୍ୟୁତ୍ ସବଷ୍ଟେସନ ଘେରାଉ କରିଛନ୍ତି। ମଜୁରିଆପଲ୍ଲୀ ଦର୍ପନାରାୟଣପୁର ରାସ୍ତାକୁ ଟାୟାର ଜାଳି ଅବରୋଧ କରାଯାଇଥିଲା। ପରେ ପୁଲିସ ପହଞ୍ଚି ବୁଝାସୁଝା କରିବାରୁ ଆନ୍ଦୋଳନ ବନ୍ଦ ହୋଇଥିଲା।