ଭାରତରେ ୨୪ ଘଣ୍ଟାରେ ୯୧ ହଜାର ସଂକ୍ରମିତ, ୩୪୦୨ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଗତ କିଛିଦିନ ହେବ ଦେଶରେ ଦୈନିକ କୋଭିଡ ସଂକ୍ରମଣ ମାମଲା ୧ ଲକ୍ଷରୁ ତଳକୁ ରହୁଛି। ସେହିଭଳି ମୃତ୍ୟୁ ସଂଖ୍ୟା ୨ ହଜାରରୁ ୨୫୦୦ ମଧ୍ୟରେ ରହୁଥିବା ବେଳେ ଜୁନ୍ ୧୦ ତାରିଖରେ ହଠାତ ମୃତ୍ୟୁ ସଂଖ୍ୟା ରେକର୍ଡ ୬୧୩୮କୁ ଛୁଇଁଥିଲା। ଏହାକୁ ନେଇ ପୁଣି ଥରେ ଦେଶବାସୀଙ୍କର ଚିନ୍ତା ବଢ଼ି ଯାଇଛି। ତେଣୁ ଦେଶରେ କରୋନାର ସ୍ଥିତି କେମିତି ଅଛି ତାହା ଦ୍ୱନ୍ଦ୍ୱ ବଢ଼ାଉଛି।

କରୋନା ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ତଥ୍ୟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧ ହଜାର ୨୬୬ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩ ହଜାର ୪୦୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଗୁରୁବାର ୯୩ ହଜାର ୮୯୬ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ମେ’ ମାସରେ ଗୋଟିଏ ଦିନରେ ସର୍ବାଧିକ ୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୪ ହଜାର ୨୦୦ ଲୋକଙ୍କର ପ୍ରାଣହାନି ଘଟିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୨ ଲକ୍ଷ ୭୩ ହଜାର ୩୩୮ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୩ ହଜାର ୯୭କୁ ବୃଦ୍ଧି ପାଇଥିବା କୁହାଯାଇଛି।