ରାୟଗଡା,ଏନ୍ଏନ୍ଏସ୍: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଏହି ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ କେତେ କାର୍ଯ୍ୟକାରୀ କରାଯାଉଛି ତାହାର ବିଧିବଧ ଅନୁଧ୍ୟାନ କରାଯାଉନି। ଯାହାଫଳରେ ଆଦିବାସୀ ଅଧୂଷିତ ରାୟଗଡା ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଦୁର୍ନିତୀ ଏବେ ଲୋକଲୋଚନକୁ ଆସିବାରେ ଲାଗିଛି । ଶେଷରେ ବୁଢ଼ାବୁଢ଼ି ଙ୍କୁ ବି ଛାଡ଼ୁନାହାନ୍ତି ସରକାରୀ ବାବୁ। ସରକାରୀ ବାବୁଙ୍କ ଇସାରାରେ ଖାଇଗଲେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା। ପ୍ରାୟ ୫ ମାସର ୬୭୫ ଜଣଙ୍କ ଭତ୍ତା ଟଙ୍କା ନଦେଇ ଗ୍ରାମସେବକ ବାବୁ ହଡ଼ପ କରିଦେଇଥିବା ଅଭିଯୋଗ ହୋଇଛି।
ଆମେ କହୁଛୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କଥା। କଲ୍ୟାଣସିଂହପୁର ସଦର ପଞ୍ଚାୟତୟରେ ବୁଢ଼ାବୁଢ଼ୀଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା କୁଆଡେ ଗଲା ତାହା ହିତାଧିକାରୀ ମାନେ ଜାଣଇପାରୁନାହାନ୍ତି। ମୂଲ ଲାଗି ପେଟ ପୋଷିବା ସମ୍ଭବ ନୁହେଁ କେବଳ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ହିଁ ବଞ୍ଚିବାର ରାହା ଖଜୁଥାନ୍ତି ବୃଦ୍ଧବୃଦ୍ଧା। କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ସେମାନେ ଗତ ୫ ମାସ ହେଵ ବାର୍ଦ୍ଧକ୍ୟ ଭତ୍ତା ପାଇଁ ନାହାଁନ୍ତି। ଫଳରେ ପିଆଜ ଲଙ୍କା କିଣିବାକୁ ତାଙ୍କ ନିକଟରେ ପଇସା ନାହିଁ, ଲୁଣ ଲଗାଇ ମୁନ୍ଦେ ମାଣ୍ଡିଆ ଯାଉ ଖାଇ ବଞ୍ଚିବାକୁ ପଢୁଛି ବୋଲି ଅଭିଯୋଗ କରିଛନ୍ତି ସଦର ପଞ୍ଚାୟତର କମଳା ହିକକା। କେବଳ କମଳା ନୁହନ୍ତି କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଓ ନିୟମଗିରି ପାହାଡ଼ ଡ଼ଙ୍ଗରିଆ କନ୍ଧ ରହୁଥିବା ଅଞ୍ଚଳ ପାରସାଲି ପଞ୍ଚାୟତର ମିଶି ୬୭୫ ଜଣ ହିତାଧିକାରୀ ୫ ମାସ ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ପାଇ ନଥିବା ଅଭିଯୋଗ ହୋଇଛି।
ଏହି ଦୁଇଟି ପଞ୍ଚାୟତ ଦାୟିତ୍ବରେ ଥିବା ପଞ୍ଚାୟତ ଗ୍ରାମସେବକ ପ୍ରଦୀପ ମାଣ୍ଡାଙ୍ଗୀ ବାବୁ ହଡ଼ପ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ହିତାଧିକାରୀ ମାନେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରସ୍ଥ ହେଲେବି କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। କଲ୍ୟାଣସିଂହପୁର ବ୍ଲକରେ ଏମବିପିୱାଇ ଯୋଜନାରେ ୬୩୧୮ ଓ ଏନ୍ଏସ୍ଏପି୍ ଯୋଜନାରେ ୫୦୫୬ ଜଣ ହିତାଧିକାରୀଙ୍କୁ ମିଶାଇ ମୋଟ ୧୧୩୭୪ ଜଣ ବିଧବା ଓ ବୃଦ୍ଦବୃଦ୍ଦା ମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଏଥି ମଧ୍ୟରୁ ବ୍ୟାଙ୍କ ଖାତା ଜରିଆରେ ୪୫୮୬ ଜଣ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସିଧାସଳଖ ଘରକୁ ଜାଇ ସରକାରୀ ଅଧିକାରୀ ମାନେ ୬୭ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। କିନ୍ତୁ ଗତ ୫ ମାସ ହେଲା ବୃଦ୍ଦବୃଦ୍ଦା ଓ ବିଧବା ମାନେ ଭତ୍ତା ନପାଇ ଚିନ୍ତାରେ ପଡିଯାଇଛନ୍ତି। ଏନେଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିଲେ ବି ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।
କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା। ପାହାଡ ଡଙ୍ଗର ମୁଲକରେ ରହୁଥିବା ଡଙ୍ଗରିଆ ଜନଜାତିଙ୍କ ଟଙ୍କା ମଧ୍ୟ ହଡପ କରାଯାଇଥିବା ନଜରକୁ ଆସିଛି। ପାରସାଲି ପଞ୍ଚାୟତର ଅନେକ ଗ୍ରାମରେ ହିତାଧିକାରୀ ମାନେ ନିୟମିତ ଭତ୍ତା ଟଙ୍କା ପାଇନଥିବା ଅଭିଯୋଗ ହୋଇଛି। ପ୍ରତିମାସରେ ସରକାରଙ୍କ ଭତ୍ତା ଟଙ୍କାକୁ ଚାହିଁବସିଥିବା ଏହି ଜନଜାତି ଏବେ ଭୋକ ଉପାସରେ ଆଉଟୁପାଉଟୁ ହେଉଛନ୍ତି। ନିୟମଗିରିର କିଛି ଗ୍ରାମରେ ନିୟମିତ ଭାବେ ପ୍ରତିମାସରେ ଭତ୍ତା ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ହିତାଧିକାରୀ ମାନେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କେବଳ କଲ୍ୟାଣସିଂହପୁର ବ୍ଲକ ନୁହେଁ ରାୟଗଡା ଜିଲ୍ଲାର ମୁନିଗୁଡା, ଚନ୍ଦ୍ରପୁର ଓ ଗୁଡାରୀ ବ୍ଲକର ଦୁର୍ଗମ ଗ୍ରାମ ମାନଙ୍କରେ ସେହି ସମାନ ଅବସ୍ଥା। ଯାହାକୁ ହିତାଧିକାରୀ ମାନେ ଗୁହାରୀ କରିବେ ଉକ୍ତ ବଡ ଅଧିକାରୀ ମାନେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଜଣାପଡିଛି। କଲ୍ୟାଣସିଂହପୁର ବ୍ଲକରେ ଭତ୍ତା ଟଙ୍କା ହଡପ ହେବା ଘଟଣାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହାକୁ ନେଇ ଆଦିବାସୀ ସମ୍ପ୍ରଦାୟର ଲୋକେ ଚିନ୍ତା ପ୍ରକଟ କରିଛନ୍ତି।
ଘଟଣା ସମ୍ପର୍କରେ କଲ୍ୟାଣସିଂହପୁର ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଳରାମ ପାତ୍ରଙ୍କୁ ପଚାରିବାରୁ ସେ ଏନେଇ ଆମ ପାଖରେ ଅଭିଯୋଗ ହେବା ସହ ଘଟଣାର ତଦନ୍ତ ଚାଲିଛି ଏବଂ ଯିଏ ଦୋଷୀ ଥିବା ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ବ୍ଲକ ପ୍ରଶାସନ କେବେ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଯୋଗାଇ ଦେଉଛି ଓ ଦୋଷୀ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।