କେନ୍ଦୁଝରରେ ଖରିଫ ଧାନ ସଂଗ୍ରହ କେନ୍ଦ୍ରର ଶୁଭାରମ୍ଭ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ଗୁରବାର ଖରିଫ ଧାନ ସଂଗ୍ରହ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୮୬ଟି ସ୍ଥାନରେ ମଣ୍ଡି ଖୋଲାଯାଇଥିବା ବେଳେ ଆଜିଠାରୁ ସେଠାରେ ଚାଷୀମାନେ ଧାନ ବିକ୍ରି କରିପାରିବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଗଣେଶ୍ୱର ଚୌଧୁରୀ ସୂଚନା ଦେଇଛନ୍ତି। ଜିଲ୍ଲାର ମୋଟ୍ ୪୦୯୮୬ଜଣ ଚାଷୀ ଧାନ ବିକ୍ରି କରିବାକୁ ବିଭିନ୍ନ କେନ୍ଦ୍ରରେ ସେମାନଙ୍କର ନାମ ପଞ୍ଜିକୃତ କରିଛନ୍ତି।

ଆଜି ଏହାର ପ୍ରଥମ ଦିନରେ ନରଣପୁର ଧାନ କ୍ରୟ କେନ୍ଦ୍ରରେ ପଞ୍ଜିକୃତ ୧୭୩୨ଙ୍କ ମଧ୍ୟରୁ ରାମଚନ୍ଦ୍ରପୁର ଗ୍ରାମର ଚାଷୀ ସବିତା ମହାନ୍ତ, ସହରପସି ଗ୍ରାମର ପ୍ରଫୁଲ୍ଲ ମହାନ୍ତ ସେମାନଙ୍କର ଧାନ ବିକ୍ରି କରିଥିବା ଜଣାପଡ଼ିଛି। ପ୍ରଥମେ ଛୋଟ ଚାଷୀଙ୍କ ଠାରୁ ଧାନ କିଣାକୁ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। ସେହିପରି ଚାଷୀମାନଙ୍କ ଠାରୁ ୭୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ କିଣାଯିବ ଓ ବଡ଼ ଚାଷୀମାନେ ଦୁଇ ଦଫାରେ ଅଧିକ ୩୦ କୁଇଣ୍ଟାଲ ପର୍ୟ୍ୟନ୍ତ ଧାନ ବିକ୍ରୟ କରିପାରିବେ। ଆସନ୍ତା ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ପଞ୍ଜିକୃତ କରିଥିବା ଚାଷୀ ସେମାନଙ୍କର ଧାନ ବିକ୍ରି କରିପାରିବେ।

 ଏଫଏକ୍ୟୁ ଧାନ ପାଇଁ ସର୍ବନିମ୍ନ ମୂଲ୍ୟ ୧୮୧୫ଟଙ୍କା ଥିବାବେଳେ ଏଫଏକ୍ୟୁ(ଏ ଗ୍ରେଡ୍) ଧାନର ମୂଲ୍ୟ ୧୮୩୫ ଟଙ୍କା ଥିବା ସୂଚନା ମିଳିଛି। ଧାନକିଣା କାର୍ଯ୍ୟକ୍ରମକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଡ. ଭକ୍ତ ଚରଣ ପ୍ରଧାନ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ଯୋଗାଣ ଅଧିକାରୀ ଗଣେଶ୍ୱର ଚୌଧୁରୀ, ଏଆରସିଏସ ପର୍ଶୁରାମ ପାତ୍ର, ଡିଆରସିଏସ ପ୍ରମୋଦ କୁମାର ବାରିହା, ନରଣପୁର ଲ୍ୟାମ୍ପ ଏମଡି ସୋମନାଥ ପଣ୍ଡା, ଶାଖା ପରିଚାଳକ ରଣଜିତ ସାହୁ ପ୍ରମୁଖଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।