ଜେଲରୁ ମୁକୁଳିବାର ଗୋଟିଏ ଦିନ ପରେ ସଂସଦରେ ପହଞ୍ଚିଲେ ଚିଦାମ୍ବରମ

ପିଆଜ ଦର ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କଲେ

ନୂଆଦିଲ୍ଲୀ,ଏଜେନ୍ସି: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ଜାମିନ ପାଇବାରର ଗୋଟିଏ ଦିନ ପରେ ଶୀତକାଳୀନ ଅଧିବେଶନରେ ଯୋଗଦେବା ପାଇଁ ପୂର୍ବାହ୍ଣରେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍‌ ପାର୍ଲାମେଣ୍ଟ୍‌ରେ ପହଞ୍ଚିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କଂଗ୍ରେସ ନେତାଙ୍କ ସହ ମିଶି ପିଆଜ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟା​‌ରେ ଚିଦାମ୍ବରମ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରଥମେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା। ସେ ତିହାର ଜେଲରେ ଥିବାବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ପୁଣି ଥରେ ତାଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଥିଲା। ପ୍ରଥମେ ତାଙ୍କୁ ସିବିଆଇ ମାମଲାରୁ ଜାମିନ ମିଳିଥିଲା। କିନ୍ତୁ ଇଡି ମାମଲାରେ ଜାମିନ ଆବେଦନ ଶୁଣାଣି ବିଚାରାଧୀନ ଥିବାରୁ ସେ ଜେଲରେ ରହିଥିଲେ। ପ୍ରାୟ ୧୦୬ ଦିନ ଜେଲରେ ରହିବା ପରେ ଗତ ବୁଧବାର ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା।