୨୧ ତାରିଖରେ ରାଜ୍ୟବ୍ୟାପୀ ଏସପି ଅଫିସ୍ ଘେରିବ କଂଗ୍ରେସ

ଶିଶୁ ନିଖୋଜ ଘଟଣା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଲଗାତାର ଶିଶୁ ନିଖୋଜ, ହତ୍ୟା, ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପ୍ରତିବାଦରେ ଆସନ୍ତା ୨୧ ତାରିଖରେ ରାଜ୍ୟର ପ୍ରତି ଜିଲ୍ଲାରେ ଆନ୍ଦୋଳନକୁ ଓହ୍ଲାଇବ ପ୍ରଦେଶ କଂଗ୍ରେସ। ବିଭିନ୍ନ ଜିଲ୍ଲାରେ ଏସ୍ପିଙ୍କ କାର୍ଯ୍ୟାଳୟ ଘେରି ବିକ୍ଷୋଭ ପ୍ରଦର୍ଶନ କରିବ ଦଳ। ସମସ୍ତ ଘଟଣାରେ ସଠିକ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଚାପ ସୃଷ୍ଟି କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ଦିନକୁ ପ୍ରାୟ ୧୧ ଜଣ ଶିଶୁ ନିଖୋଜ ହେଉଛନ୍ତି। ବର୍ଷକୁ ପ୍ରାୟ ୪୩୧୫ ଜଣ ଶିଶୁଙ୍କର ଅପହରଣ ଘଟଣା ସଂପ୍ରତି ଅଭିଭାବକ, ପରିବାରବର୍ଗ ଓ ସର୍ବୋପରି ସଭ୍ୟ ସମାଜରେ ଗଭୀର ଚିନ୍ତାର କାରଣ ହୋଇଛି। ପରୀ, ସ୍ୱାତୀ, ପିହୁ, ଆୟୁଷ ପରି କୁନିକୁନି ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କୁ ଅପହରଣ ଓ ସ୍ଥଳବିଶେଷରେ ଧର୍ଷଣ ଓ ହତ୍ୟା କରିବା ଘଟଣା ଅତ୍ୟନ୍ତ ବର୍ବରୋଚିତ। ଥାନାରେ ଏତଲା ଦିଆଯାଇଥିଲେ ବି ପୁଲିସର ଅତ୍ୟନ୍ତ ମନ୍ଥର ତଦନ୍ତ ଯୋଗୁଁ ଜନସାଧାରଣଙ୍କର ଭରଷା ତୁଟି ଯାଉଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲାପାଳମାନେ ଯେପରି ତତ୍ପରତା ଦେଖାଇବା କଥା ତାହା ପରିଲକ୍ଷିତ ହେଉନାହିଁ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ରୂପେ ଭୁଷୁଡ଼ିପଡ଼ିଥିବା କଂଗ୍ରେସ ଅଭିଯୋଗ କରିଛି।

୨୦୧୬ ସେପ୍ଟେମ୍ବର ଠାରୁ ଆଜିଯାଏଁ ରାଜ୍ୟରେ ପ୍ରାୟ ୭୦୦୦ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି। ଏଥିରୁ ପ୍ରାୟ ୫୦୫୦ ଜଣ ହେଉଛନ୍ତି କେବଳ ନାବାଳିକା। ସେହିପରି ଘରୋଇ ହିଂସା, ମହିଳା ନିର୍ଯ୍ୟାତନାରେ ଓଡିଶା ଦେଶରେ ତୃତୀୟ ରାଜ୍ୟ ଭାବେ ଉଭା ହୋଇଛି। ନାରୀ ନିର୍ଯ୍ୟାତନା, ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା, ଚୋରି, ଡକାୟତି, ଛିନ୍ତାଇ ଆଦି ଅପରାଧ ସଂଖ୍ୟା ପ୍ରତିବର୍ଷ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଏଭଳି ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହାର ପ୍ରତିବାଦରେ ଚଳିତ ଡିସେମ୍ବର ୨୧ ତାରିଖ ସୋମବାର ଦିନ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଦିନ ୧୦ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ, ଜିଲ୍ଲା ସଭାପତି, ପ୍ରାକ୍ତନ ବିଧାୟକ ଓ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପିସିସି ପର୍ଯ୍ୟବେକ୍ଷକ, ପିସିସି ଓ ଏଆଇସିସି ସଭ୍ୟ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତ୍ତା, କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗଦେଇ ଏହାକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।