ମମିତା ହତ୍ୟା ମାମଲା: ପାଟଣାଗଡ଼ରେ ୧୨ ଘଣ୍ଟିଆ ବନ୍ଦର ପ୍ରଭାବ

ପାଟଣାଗଡ଼,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ସେହିପରି ପାଟଣାଗଡ଼ରେ ମଧ୍ୟ ନଗରସଭାପତି ମୁନା ମହାନ୍ତିଙ୍କ ନେତୃତ୍ୱରେ ବିଜେପି ତରଫରୁ ସହରରେ ପିକେଟିଙ୍ଗ ଓ ପରେ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ବଲାଙ୍ଗିର-ପାଟଣାଗଡ଼ ରାସ୍ତା ଅବରୋଧ କରାଯାଇଛି। ଅବରୋଧ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ସହସ୍ରାଧିକ ଗାଡ଼ିି ଅଟକି ରହିଥିଲା। ମମିତାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାୟକ, ନନ୍ଦନ ଠାକୁର, ରମା ହୋତା, ଭଜ ଦୀପ, ପ୍ରହଲ୍ଲାଦ ମେହେର ଓ ଘନ ମେହେରଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।