ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ପାଟଣା,ଏନ୍ଏନ୍ଏସ୍ : ଦୁଇମାସ ହେଲା ଲ୍ୟାମ୍ପରେ ଧାନ ବିକ୍ରି କରି ମଧ୍ୟ ଏଯାଏଁ ଧାନ ବିକ୍ରି ଟଙ୍କା ଚାଷୀ ପାଇ ପାରି ନାହାନ୍ତି। କେନ୍ଦୁଝର ଜିଲ୍ଲା ସାହାରପଡା ଲ୍ୟାମ୍ପ ଅଧିନ ଉଦୟପୁର, ମାଛଗଡ଼ ଟଭାସରୁଆ, ସାହାରପଡା ଶାଖାର ୬୮ ଜଣ ଚାଷୀ। ସରକାରଙ୍କ ସମସ୍ତ ନିୟମ ପାଳନ କରି ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଧାନ ବିକ୍ରି କରିଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ଧାନ ବିକ୍ରି ଟଙ୍କା ପାଇ ପାରି ନଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ଫଳ ସ୍ୱରୂପ ସମସ୍ତ ଚାଷୀ ସାହାରପଡା ବ୍ଲକ ସମ୍ମୁଖରେ ଆଜି ଧାରଣାରେ ବସିଥିଲେ।

ଏ ଅଞ୍ଚଳର ଚାଷୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଦୁଇ ମାସ ହେବ ଧାନ ବିକ୍ରି କରି ଟଙ୍କା ପାଇ ପାରି ନାହାନ୍ତି। ବର୍ତ୍ତମାନ କରୋନା ମହାମାରୀକୁ ନେଇ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଚାଷୀଙ୍କ ଆର୍ôଥକ ସ୍ଥିତି ଦହଲି ଯାଇଛି। ଆଗାମୀ ଖରିଫ ଚାଷ ପାଇଁ ସମୟ ପହଞ୍ଚିଥିଲେ ମଧ୍ୟ ପାଖରେ ଟଙ୍କା ନଥିବାରୁ ବିହନ ଓ ସାର କିଣି ପାରୁନାହାନ୍ତି ଚାଷୀ। ଖୁବ ଶୀଘ୍ର ବିକ୍ରି ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଚାଷୀ ସେପଟେ ଧାରଣା ସ୍ଥଳରେ ସାହରପଡା ବିଡ଼ିଓ ଭାଗୀରଥି ମଲ୍ଲିକ ଓ ତହସିଲଦାର ଲମ୍ବୋଦର ଖୁଣ୍ଟିଆ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ପ୍ରତିଶ୍ରୁତି ଦେଇ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ଅନ୍ୟ ପଟେ ଯଥା ଶୀଘ୍ର ଧାନ ବିକ୍ରି ଟଙ୍କା ନ ମିଳିଲେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଚାଷୀ।