ନୟାଗଡ଼,ଏନ୍ଏନ୍ଏସ୍ : ଖାଲରେ ପଡ଼ି ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ବେଳେ ଘଟଣାକୁ ନେଇ ଆଜି ରଣପୁରରେ ଉତ୍ତେଜନା ସୃଷ୍ଟି ହୋଇଛି । ଲୋକମାନେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋ ହାଲ୍ଲା କରିଥିବା ବେଳେ ପୁଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡ଼ାରେ କାଜୁ ଜଙ୍ଗଲକୁ କେନ୍ଦ୍ର କରି ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ କିଛି ଅଭିଯୁକ୍ତ ଗତକାଲି ବିରୁଡ଼ା ଜଙ୍ଗଲରେ ଲୁଚିଥିବା ନେଇ ପୁଲିସ ଖବର ପାଇଥିଲା । ଫଳରେ ଚାନ୍ଦପୁର ଓ ରଣପୁର ପୁଲିସର ଏକ ସ୍ୱତନ୍ତ୍ର ଦଳ ସେହି ଜଙ୍ଗଲରେ ଚଢ଼ାଉ କରି ଥିଲେ । ପୁଲିସ ନିକଟତ୍ତର ହେଉଥିବା ଦେଖି ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ ଗତକାଲି ରାତିରେ ଗିରଫ କରିଛି । ଏହି ଅଭିଯୁକ୍ତ ଜଣଙ୍କ ହେଲେ ରାଜୀବ ମହାପାତ୍ର । ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାତ୍ର ଆଜି ଉକ୍ତ ଜଙ୍ଗଲରୁ ଆଜି ଅନ୍ୟ ଜଣେ ଅଭିଯୁକ୍ତର ମୃତ ଦେହ ଏକ ଖାଲରେ ପଡ଼ିଥିବା ଦେଖାଯାଇଛି ।
ମୃତକ ଜଣଙ୍କ ହେଲେ ରାଇପଡ଼ା ଗ୍ରାମର ଶିକ୍ଷକ ଆଦିତ୍ୟ ମହାପାତ୍ର । ରାଇପଡ଼ା ଗୋଷ୍ଠୀ ସଂଘର୍ଷ ପରଠାରୁ ପୁଲିସ ଏହି ଗ୍ରାମରେ ବାରମ୍ବାର ଚଢ଼ାଉ କରୁଥିବାରୁ ଗ୍ରାମର ପୁରୁଷ ଲୋକମାନେ ଗାଁ ଛାଡ଼ି ବାହାରେ ଲୁଚି ବୁଲୁଥିଲେ । ଗତକାଲି ଆଦିତ୍ୟ ଅନ୍ୟକିଛି ବ୍ୟକ୍ତିଙ୍କ ସହ ଜଙ୍ଗଲରେ ଭୋଜିଭାତ କରୁଥିବା ବେଳେ ଅଘଟଣ ଘଟିଥିଲା । ମାତ୍ର ପୁଲିସ କେବଳ ରାଜୀବଙ୍କୁ ନେଇ ଥାନାକୁ ଚାଲି ଆସିଥିବା ବେଳେ ଆଜି ଆଦିତ୍ୟଙ୍କର କୈାଣସି ଖୋଜ ଖବର ନପାଇ ପରିବାର ଲୋକେ ଜଙ୍ଗଲକୁ ଯାଇ ଏକ ଖାଲରେ ତାଙ୍କ ମୃତ ଦେହ ମୁହଁମାଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବେଚ୍ଛଦ ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିବା ବେଳେ ଗ୍ରାମବାସୀ ଓ ଆଦିତ୍ୟଙ୍କ ପରିବାର ଏହି ଘଟଣାରେ ପୁଲିସକୁ ଦାୟୀ କରିଛନ୍ତି ।
ପୁଲିସ ଆଦିତ୍ୟଙ୍କୁ ପିଟି ପିଟି ମାରି ଦେଇଥିବା ବେଳେ ଖାଲରେ ଫୋପାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ୟାପକ ପୁଲିସ ମୁତୟନ କରଯାଇଛି । ଏଥିସହିତ ପୁଲିସ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଗ୍ରାମବାସୀଙ୍କ ଉପରେ ବିଟ୍ରିସ ଶାସନ ଚଳାଇଥିବା ନେଇ ଅନେକ ବ୍ୟକ୍ତି ଆଜି ଅଭିଯୋଗ କରିଛନ୍ତି । କ୍ୟାମ୍ପରେ ଥିବା ପୁଲିସ ଓ ଥାନା ପୁଲିସ ଗାଁରେ ପଶି ଅମାବନବୀୟ ଭାବେ ଗୁଣ୍ଡାରାଜ କରିବା ସହ ଛେଳି, ମେଣ୍ଢା ନେଇ ଯାଉଥିବା ନେଇ ଜଣେ ମହିଳା ଆଜି ପ୍ରକାଶ କରିଛନ୍ତି । ନୟାଗଡ଼ ଜିଲ୍ଲାରେ କିଛି ନ୍ୟସ୍ତସ୍ୱାର୍ଥ ପୁଲିସ କର୍ମଚାରୀଙ୍କ ପାଇଁ ପୁଲିସ ବିଭାଗ ଆଜି ଦୁର୍ନାମ ମୁଣ୍ଡାଉ ଥିବା ଆଲୋଚନା ହେଉଛି । ବରିଷ୍ଠ ଅଧିକାରୀମାନେ ଏ ଦିଗରେ ଦୃଷ୍ଟି ନଦେଲେ ସରକାର ଆପଣାଇଥିବା ୫ଟି ଏବଂ ଆମ ପୁଲିସ ଭଳି ବ୍ୟବସ୍ଥାର କିଛି ମାନେ ରହିବ ନାହିଁ ।