ପାଟଣା,ଏନ୍ଏଡ଼୍ଏସ୍ : ବିବାହିତା ମହିଳାଙ୍କୁ ଅସଦାଚରଣ କରିବା ଜିଆରଏସଙ୍କୁ ପଡ଼ିଲା ମହାଙ୍ଗା । ଏନେଇ ମହିଳା ଜଣଙ୍କ ମଙ୍ଗଳବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଜିଆରଏସ ଯତୀନ୍ଦ୍ର ମହାନ୍ତଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଯୋଗ୍ୟ, ତୁରୁମୁଙ୍ଗା ଥାନା ଯମୁନା ପଶି ପଞ୍ଚାୟତରେ ଗତ ଶନିବାର ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ହାତ ବନ୍ଧା ଫୋଟ ଭାଇରଲ ହୋଇଥିଲା । ଉକ୍ତ ଯୁବକ ଜଣଙ୍କ ହେଲେ ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତର କାର୍ଯ୍ୟରତ ଜିଆରଏସ ଯତୀନ୍ଦ୍ର ମହାନ୍ତ । ଜିଆରଏସ ଜଣକ ରାତିରେ ବରୁଡ଼ିପଶି ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ଘରେ ପଶି ମହିଳାଙ୍କୁ ଟଣା ଓଟରା କରି ଅସଦାଚରଣ କରିଥିଲେ । ଏହା ପରିବାର ଲୋକେ ଜାଣିବା ପରେ ଯୁବକଙ୍କୁ ଘରେ ହାତ ବାନ୍ଧି ଅଟକ ରଖିଥିଲେ । ପରେ ଏହି ଖବର ସାରା ଗ୍ରାମରେ କ୍ଷିପ୍ର ଗତିରେ ବ୍ୟାପି ଯାଇଥିଲା । ରାତି ସାରା ଯୁବକଙ୍କୁ ହାତ ବାନ୍ଧି ଘରେ ଅଟକ ରଖିଥିଲେ ପରିବାର ଲୋକେ । ଖବର ପାଇ ବାହାରେ ରହୁଥିବା ଜନୈକ ମହିଳାଙ୍କ ସ୍ୱାମୀ ଘରେ ପହଁଚିବା ପରେ ଗ୍ରାମବାସୀ ଓ ପରିବାର ଭିତରେ ଆପସ ବୁଝାମଣା ହୋଇଥିଲା ।
ସେତେବେଳେ ଏ ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଗ୍ରାମବାସୀ ଉଭୟ ପରିବାରକୁ ବୁଝାମଣା କରି ଚୁକ୍ତିନାମା କରାଯାଇଥିଲା କିନ୍ତୁ ଘଟଣାର ଦୁଇ ତିନି ଦିନ ପରେ ଜି ଆରଏସ ଯତୀନ୍ଦ୍ର ଉକ୍ତ ପରିବାରକୁ ଧମକ ଚମକ ଦେବା ସହିତ ଜାତିଆଣ ଆକ୍ଷେପ କରିଥିଲେ। ଏନେଇ ମହିଳା ଜଣଙ୍କ ମଙ୍ଗଳବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଜିଆରଏସ ଯତୀନ୍ଦ୍ର ମହାନ୍ତଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି ।