ରୋଗୀସେବାକୁ ନେଇ ଏମକେସିଜିରେ ଉତ୍ତେଜନା

ଡାକ୍ତର ଏବଂ ରୋଗୀଙ୍କ ସମ୍ପର୍କୀୟ ମଧ୍ୟରେ ମାରପିଟ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ବଡ଼ମେଡିକାଲ (ଏମକେସିଜି)ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଡାକ୍ତରଙ୍କୁ ମଧ୍ୟ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ଏହି ସମୟରେ ହଠାତ୍ ବ୍ରହ୍ମପୁର ବଡ଼ମେଡିକାଲର ଡାକ୍ତରୀ ଛାତ୍ରଛାତ୍ରୀମାନେ ସର୍ଜରୀକୁ ବନ୍ଦ କରିଦେଇଛନ୍ତି। ପୁଲିସ ମେଡିକାଲରେ ଛାଉଣି ହୋଇଥିବା ବେଳେ ଡାକ୍ତରୀ ଛାତ୍ରମାନେ ରୋଗୀଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ରୋଗୀଙ୍କ ପୁଅ ଅନୀଲ ନାୟକଙ୍କୁ ପୁଲିସ ଥାନାରେ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଲୋକମାନେ ଡାକ୍ତରଙ୍କ ଭୁଲ ଥିବା ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ଆଜି ରାତି ୮ଟା ସମୟରେ ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳର ଅନିଲ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କୁ ନେଇ ବ୍ରହ୍ମପୁର ବଡ଼ମେଡିକାଲକୁ ଆସିଥିଲେ। ତାଙ୍କ ମା’ଙ୍କ ଫିଡ୍ସ ରୋଗ ବାହାରିଛି ତୁରନ୍ତ ଡାକ୍ତରଙ୍କୁ ଦେଖିବା ପାଇଁ ସର୍ଜରୀରେ ଥିବା ଡାକ୍ତରଙ୍କୁ କହିଥିଲେ। କୌଣସି ଡାକ୍ତର ସେହି ସମୟରେ ରୋଗୀଙ୍କୁ ଦେଖିବାକୁ ଆସି ନଥିବା ବେଳେ ହଠାତ୍ ରୋଗୀଙ୍କ ପୁଅ ଅନିଲ ଡାକ୍ତରଙ୍କ ହାତଟାଣି ମୋ ମା’ଙ୍କୁ ଟିକେ ଦେଖନ୍ତୁ ବୋଲି କହିଥିଲେ। ଏଥିରେ ସର୍ଜରୀ ଡାକ୍ତର ଏମ.କେ.ବେହେରା ଉତକ୍ଷିପ୍ତ ହୋଇ ଅନିଲଙ୍କୁ ଏକ ଶକ୍ତ ଚାପଡ଼ା ଦେଇଥିଲେ। ପରେ ଏ ନେଇ ଅନିଲ ତାଙ୍କ ପରିବାର ଲୋକଙ୍କୁ କହିବା ସହ ମେଡିକାଲ ଫାଣ୍ଡିରେ ଏତଲା ଦେବାକୁ ଯାଇଥିଲେ।

ଏହି ସମୟରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରି ନିଜ ସହକର୍ମିୀଙ୍କୁ ଖବର ଦେଇଥିଲେ। ମାତ୍ର କିଛି ସମୟ ମଧ୍ୟରେ ସର୍ଜରୀରେ ଡାକ୍ତରୀ ଛାତ୍ରମାନେ ପହଞ୍ଚି ଯାଇଥିଲେ। ଅନିଲଙ୍କୁ ମାଡ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନିଲଙ୍କୁ ବୈଦ୍ୟନାଥପୁର ଥାନାକୁ ଆଣିଥିଲେ।

ମେଡିକାଲ ଛାତ୍ରମାନେ ବୈଦ୍ୟନାଥପୁର ଥାନାକୁ ଯାଇ ମଧ୍ୟ ଉକ୍ତ ଯୁବକଙ୍କୁ ମାଡ ମାରିବା ପାଇଁ ଚାହିଁଥିଲେ। ପୁଲିସ ତୁରନ୍ତ ଅନିଲଙ୍କୁ ଅନ୍ୟ ଏକ ଥାନାକୁ ନେଇଯାଇଥିଲେ। ପରେ ଥାନାକୁ ଆସିଥିବା ମେଡିକାଲ ଛାତ୍ରମାନେ ପୁଣି କାଜୁଆଲିଟିକୁ ଯାଇ ସେଠାରେ କାଜୁଆଲିଟିକୁ ବନ୍ଦ କରିଦେଇଛନ୍ତି।

ଏ ନେଇ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଡାକ୍ତର ଚରଣ ପଣ୍ଡା ବୈଦ୍ୟନାଥପୁର ଥାନାକୁ ଆସି ପୁଲିସର ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଏଏସପି ପ୍ରଭାତ ରାଉତରାୟ, ଏଏସପି ପ୍ରଶାନ୍ତ ମିଶ୍ର, ଏସଡିପିଓ ବିଷ୍ଣୁ ପ୍ରସାଦ ପତି ବୈଦ୍ୟନାଥପୁର ଥାନାଅଧିକାରୀ ସାରଦା ପ୍ରସାଦ ଦାଶ ଏବଂ ଟାଉନଥାନା ଅଧିକାରୀ ସୁରେଶ ତ୍ରିପାଠୀ ଘଟଣା ସ୍ଥଳରେ ଅଛନ୍ତି। ପରିସ୍ଥିତି ବର୍ତ୍ତମାନ ଗମ୍ଭୀର ଥିଲେ ମଧ୍ୟ ପୁଲିସ ନିୟନ୍ତ୍ରଣରେ ଥିବା ଜଣାପଡିଛି। ଉକ୍ତ ରୋଗୀଙ୍କୁ ବର୍ତ୍ତମାନ ଡାକ୍ତରମାନେ ଦେଖୁନଥିବା ଅଭିଯୋଗ ହୋଇଛି।