ୱାର୍ଲ୍ଡ ୱେଫ୍ଟଲିଫ୍ଟିଙ୍ଗ ଚାମ୍ପିଅନଶିପ ଭାରତୀୟ ଦଳରେ ଝିଲି ଓ ସ୍ନେହା

ନୂଆଦିଲ୍ଲୀ,୯ା୯/ଏଜେନ୍ସି: ଆସନ୍ତା ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟାୟାଠାରେ ୱାର୍ଲ୍ଡ ୱେଫ୍ଟଲିଫ୍ଟିଙ୍ଗ ଚାମ୍ପିଅନଶିପ ଖେଳାଯିବ। ଏହି ଚାମ୍ପିଅନଶିପରେ ଅଂଶଗ୍ରହଣ କରିବା ପାଇଁ ୩ ଜଣିଆ ପୁରୁଷ ଓ ୪ ଜଣିଆ ମହିଳା ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷିତ ମହିଳା ଦଳରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଶାର ଦୁଇ ଭାରୋତ୍ତୋଳକ ଝିଲି ଦଳବେହେରା ଓ ସ୍ନେହା ସୋରେନ୍ ସ୍ଥାନ ପାଇଛନ୍ତି। ଏହାର ନେତୃତ୍ୱ ମିରାବାଇ ଚାନୁ ନେଉଛନ୍ତି। ଝିଲି ୪୫ କିଗ୍ରା ବର୍ଗରେ ଓ ସ୍ନେହା ୫୫ କିଗ୍ରା ବର୍ଗରେ ପ୍ରତିଯୋଗିତାରେ ଭାଗନେବେ। ମିରାବାଇ ୪୯ କିଗ୍ରାରେ ଓ ଅନ୍ୟତମ ପ୍ରତିଯୋଗୀ ରାଖି ହଲଦାର ୬୪ କିଗ୍ରା ବର୍ଗରେ ଅଂଶଗ୍ରହଣ କରିବେ। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଏହା ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଏଥିରେ ସଫଳ ହୋଇ ଅଲିମ୍ପିକ କୋଟା ହାସଲ କରିବା ଲକ୍ଷ୍ୟରେ ଭାରତୀୟ ପ୍ରତିଯୋଗୀ ଅବତ୍ତୀର୍ଣ୍ଣ ହେବେ। ପୁରୁଷ ଦଳରେ ଜେରେମୀ ଲାଲରିଲୁଙ୍ଗା, ଅଚିନ୍ତା ସେଓଲି ଓ ଅଜୟ ସିଂ ସ୍ଥାନ ପାଇଛନ୍ତି।