ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ: ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ

ମାଲକାନଗିରି,ଏନ୍ଏନ୍ଏସ୍: ସ୍ୱାଧୀନତାର ଦୀର୍ଘ ୭୩ ବର୍ଷ ପରେ ବି ମାଲକାନଗିରି ଜିଲ୍ଲାର ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ମେଦ୍ରିଖାଲ ଗ୍ରାମକୁ ରାସ୍ତାଟିଏ ହୋଇପାରିନାହିଁ। ଗ୍ରାମରେ ପହଞ୍ଚିବାକୁ ହେଲେ ଚଢ଼ିବାକୁ ହୁଏ, ଘଞ୍ଚ ଜଙ୍ଗଲ ଓ ପାହାଡ଼। ଗ୍ରାମର କୌଣସି ବ୍ୟକ୍ତିଙ୍କ ଦେହ ଖରାପ ହେଲେ ଖଟିଆ କିମ୍ବା ଷ୍ଟ୍ରେଚରରେ ବୁହା ହୋଇ ଆଣିବାକୁ ପଡ଼ୁଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିବାକୁ ୪ ଜଣଙ୍କ କାନ୍ଧର ଆବଶ୍ୟକତା ପଡ଼ିଥାଏ। ତେଣୁ ସଙ୍ଗେ ସଙ୍ଗେ ଚିକିତ୍ସାଳୟକୁ ଆଣିପାରନ୍ତି ନାହିଁ। ଫଳରେ ବିଭିନ୍ନ ସମୟରେ ରୋଗୀଙ୍କ ମୃତ୍ୟୁ ହୋଇଥାଏ। ଠିକ ଏଭଳି ସଙ୍କଟର ଶିକାର ହୋଇ ଆଜି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି।

ଗ୍ରାମର ସମରା କୁଞ୍ଜମ(୨୪)ଙ୍କ ଗତ କିଛି ନ ଧରି ଶରୀର ଫୁଲିବାରେ ଲାଗିଥିଲା। ତେବେ ଗତକାଲି ରାତ୍ରିରେ ଶରୀର ଅଧିକ ଫୁଲିବାରୁ ୪ ଜଣଙ୍କ ସାହାଯ୍ୟରେ ଷ୍ଟ୍ରେଚରରେ ବୋହି ହସ୍ପିଟାଲ ନେବା ସମୟରେ ମଲ୍ଲୀକେଶ୍ୱର କଲୋନୀ ନିକଟରେ ସେ ମୃତ୍ୟୁବରଣ କରିଥିଲେ। ପରେ ତାଙ୍କ ମୃତ ଦେହକୁ ଘରକୁ ଫେରାଇ ନେଇଯାଇଛନ୍ତି।

ଏହି ଗ୍ରାମର ୧୨ ପରିବାର ବସବାସ କରୁଛନ୍ତି। ଖାଦ୍ୟ ସାମଗ୍ରୀ ପାଇଁ ଏମାନେ କେବଳ ମାଲକାନଗିରି ଜିଲ୍ଲା ସଦର ମହକୁମା ସାପ୍ତାହିକ ହାଟକୁ ଆସିଥାନ୍ତି। ଏହି ଦିନ ସପ୍ତାହର ସମସ୍ତ ଆବଶ୍ୟକୀୟ ସାମଗ୍ରୀ କିଣିଥାନ୍ତି। ତେବେ ଏହି ଗ୍ରାମ ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଥିବାରୁ ଏହି ଗ୍ରାମର ୧୨ଟି ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଥଇଥାନ କରିବାକୁ ଦାବି ହୋଇଛି।