ପୁଣି ଭାରରେ ବୁହା ହେଲେ ରୋଗୀ

ମାଲକାନଗିରି,ଏନ୍ଏନ୍ଏସ୍: କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏବେ ବି ସ୍ୱାଭିମାନ ଜିଲ୍ଲାର କେତେକ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଅପହଞ୍ଚ ରହିଛି। କିଛି ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳକୁ ପକ୍କାରାସ୍ତା ନଥିବାରୁ ବିଭିନ୍ନ ସମୟରେ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୁହାହେବା ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି। ଏଭଳି ଏକ ଘଟଣା ଆଜି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ୍ ଅନ୍ତର୍ଗତ ତାଗାବେଡ଼ା ଗ୍ରାମରେ ଘଟିଛି।

ଗ୍ରାମର ହାଡ଼ି ଶିଶା(୩୫) ରୋଗରେ ପୀଡ଼ିତ ଥିଲେ। ତେବେ ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ପାହାଡ଼ିଆ ରାସ୍ତା ହୋଇଥିବାରୁ ଗ୍ରାମଠାରୁ ୬ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଏହାପରେ ବାଧ୍ୟ ହୋଇ ଗ୍ରାମବାସୀମାନେ ଭାରରେ ରୋଗୀଙ୍କୁ ୬ କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ବାରମ୍ବାର ଦାବି ସତ୍ତ୍ୱେ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରାଯାଉ ନଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।