ଫସଲ ବୀମା ମିଳୁ ନଥିବାରୁ ଉପଜିଲ୍ଲାପାଳ ଓ ତହସିଲ ଅଫିସ ଘେରିଲେ ଚାଷୀ

ପାଟଣାଗଡ, ଏନ୍ଏନ୍ଏସ୍: ଏହି ବ୍ଲକ ଶୁନାମୁଦି ସେବା ସମବାୟ ସମିତିର ଅନ୍ତର୍ଭୁକ୍ତ ଶୁନାମୁଦି ଦେଉଲଗାଁର ଚାଷୀଙ୍କୁ ଗତ ୨୦୧୯ ବର୍ଷ ଖରିଫ ଋତୁର ଫସଲବୀମା ପ୍ରଦାନ କରାଯାଇ ନ ଥିବାରୁ ଆଜି ଶୁନାମୁଦି ଓ ଦେଉଲଗାର ଶତାଧିକ ଚାଷୀ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ଖରିଫ ଋତୁରେ ଏହି ଦୁଇଟି ଗ୍ରାମର ଚାଷୀମାନେ ଶୁନାମୁଦି ସେବାସମବାୟ ସମିତିରେ ନିଜ ନିଜର ଫସଲ ବୀମା କରିଥିଲେ । କିନ୍ତୁ ଏହି ସମବାୟ ସମିତିକୁ ଛାଡିଦେଲେ ବାକି ସମବାୟ ସମିତି ପକ୍ଷରୁ ଚାଷୀମାନଙ୍କୁ ବୀମା ପ୍ରଦାନ କରାଯାଇଛି।

ଆଜି କୃଷକ ନେତା ଜୟରାମ ସାହୁଙ୍କ ନେତୃତ୍ୱରେ ବହୁ ଚାଷୀ ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବିଭିନ ସ୍ଲୋଗାନ ଦେଇଥିଲେ। ଉପଜିଲ୍ଲାପାଳ ଉପସ୍ଥିତ ନ ଥିବାରୁ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ସେମାନଙ୍କର ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ୭ ଦିନ ମଧ୍ୟରେ ସେମାନଙ୍କର ଦାବି ପୂରଣ ନ ହେଲେ ସରମୁହାଁନ ଠାରେ ରାଜରାସ୍ତାରେ ଧାରଣା ଦେବୁ ବୋଲି କହିଛନ୍ତି। ଏହି ଘେରାଓରେ ଗୋପାଳ ବାଗ ଶୁନିଲ ସାହୁ, ପିନ ସେଠ, ବିଶ୍ୱନାଥ ସାହୁ, ରାମେଶ୍ୱର ସାହୁ ରୁଦ୍ରମଣି ପଟେଲ, କୃଷ୍ଣଚନ୍ଦ୍ର , ବ୍ରଜମୋହନ, ଦୈତାରି ପଟେଲ, କୁବେର ବାରିକ ସହ ଶତାଧିକ ଚାଷୀ ସାମିଲ ହୋଇଥିଲେ।