ନିଦ୍ରାରେ ଅବକାରୀ, ମଦ ବେପାରୀକୁ ଧରି ପୁଲିସରେ ଜିମାଦେଲେ ମହିଳା

ପାଟଣା,ଏନ୍ଏନ୍ଏସ୍: ଲକଡାଉନ ସମୟରେ ଚୋରା ମଦବେପାରୀଙ୍କ ପେଣ୍ଠସ୍ଥଳ ପାଲଟିଛି ପାଟଣା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମ। ପୁଲିସ ଓ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ  ଏହି ଅଞ୍ଚଳରେ ଚୋରା ମଦ ବ୍ୟବସାୟୀମାନେ ବେଧଡକ ମଦ ବିକ୍ରି କରୁଛନ୍ତି। ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟହୋଇ ବଡବିଲ ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ମଦ ବେପାରୀକୁ ଅଟକ ରଖି ପୁଲିସରେ ଜିମା ଦେଇଛନ୍ତି। ସୂଚନା ମୁତାବକ, ପାଟଣା ଥାନା ଟଭାସରୁଆ ଗ୍ରାମର ଦୁର୍ଲ୍ଲଭ ମହାରଣା ପାଟଣା ଥାନା ଅଞ୍ଚଳରେ ଦେଶୀ ମହୁଲି ମଦ ବିକ୍ରି କରୁଥିବା ଅଭିଯୋଗରେ ଆଜି ମହିଳାମାନେ ତାଙ୍କୁ ଅଟକ ରଖି ପ୍ରତିବାଦ କରିଥିଲେ। ଖବରପାଇ ପାଟଣା ଥାନା ଏସଆଇ ଅରୁପ କୁମାର ସାମଲ ପହଞ୍ଚି ଅଟକ ଥିବା ମଦ ବେପାରୀଙ୍କୁ ଥାନାକୁ ନେଇଛନ୍ତି। ତାଙ୍କଠାରୁ ୩୫ ଲିଟର ମହୁଲି ମଦ ଜବତ ହୋଇଛି।