ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଦୃଷ୍ଟିରୁ ଏଥର ସ୍ୱାଧୀନତା ଦିବସ ସମାରୋହ ନିରାଡ଼ମ୍ବରରେ ପାଳନ କରାଯିବ। ସ୍ୱାଧୀନତା ଦିବସ ସମାରୋହରେ ପରେଡ୍, ମାର୍ଚଫାଷ୍ଟ, କିମ୍ବା ଜନଗହଳି କରାଯିବନି। ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ପାଇଁ ମାତ୍ର ଗୋଟିଏ କିମ୍ବା ଦୁଇଟି ପରେଡ କଣ୍ଟିଜେଣ୍ଟ ଏଥିରେ ସାମିଲ ହେବେ। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶନାମା ପ୍ରେରଣ କରାଯାଇଛି। ବ୍ଲକ ଓ ପଞ୍ଚାୟତସ୍ତରରେ ମଧ୍ୟ ଏହି ନିର୍ଦ୍ଦେଶନାମା ଅନୁସାରେ ଉତ୍ସବ ପାଳନ କରାଯିବ।
ନିର୍ଦ୍ଦେଶନାମା ଅନୁଯାୟୀ, ଜାତୀୟ ସଙ୍ଗୀତ ଗାନ ସହ ସକାଳ ୯ଟା ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ୧୫ରୁ ୨୦ ଜଣ କୋଭିଡ ଯୋଦ୍ଧା (ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ)ଙ୍କ ସମେତ ସର୍ବାଧିକ ୫୦ରୁ ୭୫ ଜଣ ଅତିଥିଙ୍କୁ ଉତ୍ସବସ୍ଥଳକୁ ଆମନ୍ତ୍ରିତ କରାଯିବ। ଉତ୍ସବବେଳେ ସାମାଜିକ ଦୂରତ୍ୱ ଏବଂ ମାସ୍କ ପରିଧାନ ଭଳି କୋଭିଡ୍-୧୯ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଉତ୍ସବସ୍ଥଳରେ ଜନସାଧାରଣଙ୍କ ପ୍ରବେଶ ରହିବ ନାହିଁ। ଏହି ସ୍ଥଳକୁ ନିଶ୍ଚିତ ଭାବେ ସଂକ୍ରମଣମୁକ୍ତ କରାଯିବ। ଇ-ଇନଭାଇଟ୍ ଜରିଆରେ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ। ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସ୍ଥଳକୁ ଠିକ୍ ଭାବେ ବିଶୋଧନ କରାଯିବ। ପ୍ରବେଶ ପଥରେ ସାନିଟାଇଜର ରଖାଯିବ। ଏହି ସମୟରେ ବୃକ୍ଷରୋପଣ ସହ ଅନ୍ଲାଇନ୍ ପ୍ରବନ୍ଧ ଲିଖନୀ କିମ୍ବା କୁଇଜ୍ ପ୍ରତିଯୋଗିତା ଆୟୋଜନ ହେବ ବୋଲି ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି।