ପାରିବାରିକ କଳହ: ଚଉଠି ଦିନ ବାପାଙ୍କୁ ହାଣିଲା ପୁଅ

ପାଟଣା/ଉଖୁଣ୍ଡା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବାରିଆ ଥାନା ପୋଡାସିମିଳା ଗାଁ କୁଦୁରୁ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ବାପାକୁ ହାଣି ହତ୍ୟା କରିଛି ପୁଅ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାସହ ପୁଅକୁ ଅଟକ ରଖିଛି। ସୂଚନା ଅନୁଯାୟୀ, ପୁଅ ସୁନୀଲର ଚାରିଦିନ ତଳେ ବିବାହ ହୋଇଥିଲା। କୌଣସି କଥାକୁ ନେଇ ବାପ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସୁନୀଲ ଉତ୍ୟକ୍ତ ହୋଇ ବାପା କୁଶ ନାୟକଙ୍କୁ କୋଦାଳରେ ହାଣିଦେଇଥିଲା। ଘଟଣାସ୍ଥଳରେ କୁଶଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ମୃତ କୁଶଙ୍କର ୪ ଟି ପତ୍ନୀ ଥିବାବେଳେ ସୁନୀଲ ହେଉଛନ୍ତି ତାଙ୍କ ୨ୟ ପତ୍ନୀଙ୍କ ପୁଅ।