ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଥାନାରେ ଏତଲା

କୋରାପୁଟ,ଏନ୍ଏନ୍ଏସ୍: ଚିକିତ୍ସାରେ ଅବହେଳା ଯୋଗୁଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ କୋରାପୁଟ ସହରର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ମୃତଦେହ ରଖି ଧାରଣା ଦେବାରୁ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରକାଶ ଯେ, କୋରାପୁଟ ମିଶନ କମ୍ପାଉଣ୍ଡର ଅମିତ କୁମାର ଦାସ(୨୮)ଙ୍କୁ ଜ୍ୱର ହେବାରୁ ଗତ ୩ ତାରିଖ ଦିନ କୋରାପୁଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରକ୍ତ ପରୀକ୍ଷା କରିବାପରେ ଅମିତଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା। ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଡକା ଯାଇଥିଲା, କିନ୍ତୁ କେହି ଆସି ନ ଥିଲେ। ଚିକିତ୍ସାରେ ଅବହେଳା ଯୋଗୁଁ ତାର ମୃତ୍ୟୁ ହୋଇଥିବା ଭାଇ ଦୀପକ ଦାସ ଅଭିଯୋଗ କରିଥିଲେ। କୋରାପୁଟ ଟାଉନ୍ ଥାନରେ ସେ ଏକ ଏତଲା ଦେଇ ମେଡିକାଲର ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମେନ୍ତେ ଦାବି କରିଥିଲେ। କୋରାପୁଟର ପୂର୍ବତନ ନଗରପାଳ ଭଗବାନ ବାହିନିପତି , ପୂର୍ବତନ ବିଧାୟକ ନିମାଇଁ ସରକାର ,କଂଗ୍ରେସ ନେତା ରୁପକ ତୁରୁକ ବାବୁଲା ବେନିଆ, ମନୋଜ ଆଚାର୍ଯ୍ୟ , ଜୟନ୍ତ କୋଚିନ, ସମାଜସେବୀ ରାଜେଶ ଯାଦବ ପ୍ରମୁଖ ଧାରଣାରେ ବସି କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମୃତକଙ୍କ ପରିବାର ଜଣଙ୍କୁ ଚାକିରି ଦେବାକୁ ଦାବି କରିଥିଲେ। କୋରାପୁଟ ବିଧାୟକ ରଘୁରାମ ପଡାଲ , ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , କଂଗ୍ରେସ ନେତା କୃଷ୍ଣ କୁଲଦୀପ ଘଟଣାସ୍ଥଳରେ ପହଂଚି ଭାରପ୍ରାପ୍ତ ଅଧିକ୍ଷକ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ , ହସ୍ପିଟାଲ ପ୍ରଶାସିକା ମଧୁମିତା ନାୟକଙ୍କ ସହ ଆଲୋଚନା କରିଥିଲେ। କାର୍ଯାଷ୍ଠାନର ପ୍ରତିଶ୍ରୁତି ପାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇ ମହାପ୍ରୟାଣ ଗାଡିରେ ମୃତଦେହ ନିଆଯାଇଥିଲା। ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ଅନୁକମ୍ପାମୂଲକ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିଲା। କୋରାପୁଟ ବିଧାୟକ ଶ୍ରୀ ପଡାଲ ୨୦ ହଜାର ଟଙ୍କା ମୃତକଙ୍କ ଭାଇ ଦୀପକ ଦାସଙ୍କୁ ପ୍ରଦାନ କରିଥିଲେ।