ପାର୍ସଲ ବୋମାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ସର୍ତ୍ତମୂଳକ ଜାମିନ୍‌, ମାଆଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ

ବଲାଙ୍ଗିର,ଏନ୍ଏନ୍ଏସ୍: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ୍‌ ମେହେରଙ୍କୁ କୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଇଛି। ତେବେ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ଆସନ୍ତା ୨୪ ତାରିଖରେ ଜାମିନରେ ପଦାକୁ ଆସିବେ ପୁଞ୍ଜିଲାଲ। ତେବେ ୪ ଦିନ ପାଇଁ ଜାମିନ ମଞ୍ଜୁର ହୋଇଥିବା ବେଳେ ୨୮ତାରିଖ ଦିନ ୧୧ଟା ସୁଦ୍ଧା ଆସି ଜେଲରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପୁଞ୍ଜିଲାଲଙ୍କୁ ଅନ୍ତରୀଣ ଜାମିନ ଦେବା ସହ ଅନେକ ସର୍ତ୍ତ ରଖିଛି।

ଜାମିନ ଅବଧି ମାଧ୍ୟମରେ ଗଣମାଧ୍ୟମକୁ ନଭେଟିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେବାସହ ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟରେ ପୁଞ୍ଜିଲାଲଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଥାନାଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ଏବଂ ତାଙ୍କର ଜଣେ ସମ୍ପର୍କୀୟ ଜେଜେମାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମା  ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲେ ଅଧ୍ୟାପକ ପୁଞ୍ଜିଲାଲ ମେହେର। ସୌମ୍ୟଶେଖର ମା’ଙ୍କ ସହ ତାଙ୍କର ପୂର୍ବ ଶତ୍ରୁତା ଥିବା କାରଣରୁ ପୁଞ୍ଜିଲାଲ ଏଭଳି କାଣ୍ଡ ଘଟାଇଥିଲେ। କିଛି ଦିନ ପୂର୍ବରୁ ପୁଞ୍ଜିଲାଲ ଜେଲରୁ ଫେରାର ହେବା ପାଇଁ ଉଦ୍ୟମ କରିଥିଲା।