ପରୀ ପାଇଁ ନ୍ୟାୟ ପଦ ଯାତ୍ରା କରିବ : ବିଜେପି

ଦେବଗଡ଼,ଏନ୍ଏନ୍ଏସ: ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଏ ନେଇ ଆଜି ଦେବଗଡ଼ର ପ୍ରଧାନପାଟସ୍ଥିତ ବସନ୍ତ ନିବାସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହତ୍ୟାର ଶିକାର ହୋଇଥିବା ନୟାଗଡର ନିଷ୍ପାପ ଶିଶୁ ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ ବିଧାନସଭା ସମେତ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱର ଉତ୍ତୋଳନ କରାଯାଉଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଏବଂ ସିବିଆଇ ତଦନ୍ତ ଦାବିକୁ ସରକାର ମାନି ନାହାଁନ୍ତି । ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବା ସେ କହିଛନ୍ତି। ଏହାସହିତ ପରୀ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି। ପରୀ ହତ୍ୟାକାଣ୍ଡ ସମେତ ରାଜ୍ୟରେ ନିଖୋଜ ହୋଇଥିବା ୫ ହଜାରରୁ ଅଧୁକ ଶିଶୁ ନିଖୋଜ ଅଛନ୍ତି।

ସରକାରଙ୍କ ଅବହେଳା ଯୋଗୁ ଶିଶୁ ନିଖୋଜ ହେବାରେ ଲାଗିଛନ୍ତି । ତେବେ ନିଖୋଜ ହୋଇଥିବା ଶିଶୁଙ୍କ ପରିବାରକୁ ମଧ୍ୟ ରାଜ୍ୟ ସରକାର ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ତେଣୁ ବିଜେପି ପକ୍ଷରୁ ଆସନ୍ତା ୨୦ ତାରିଖ ମଧ୍ୟରେ ରାଜ୍ୟ ସମସ୍ତ ବିଧାନସଭା କ୍ଷେତ୍ରରେ ପରୀର ନ୍ୟାୟ ପାଇଁ ପଦ ଯାତ୍ରା ଆୟୋଜନ କରାଯିବ । ପ୍ରତି ବିଧାନସଭା କ୍ଷେତ୍ରରେ ୧୦ କିମି ଦୂରତାରେ ଉକ୍ତ ପଦ ଯାତ୍ରା ହେବ । ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସେ ଜନସାଧାରଣମାନଙ୍କୁ ଅନୁରୋଧ କରିଛନ୍ତି । ସେହିପରି ଧାନ ମଣ୍ଡିରେ ଅବ୍ୟବସ୍ଥା, ଟୋକନ ସମସ୍ୟା, କଟନିଛଟନି ଓ ଚାଷୀଙ୍କ ଦୁଃଖ ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ଯଦି ରାଜ୍ୟ ସରକାର ଏଦିଗରେ କୌଣସି ପଦକ୍ଷେପ ନ ନେଲେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରେଙ୍ଗାଳୀ ବିଧାୟକ ନାଉରୀ ନାୟକ, ସମ୍ବଲପୁର ସାଂସଦଙ୍କ ପତ୍ନୀ ତଥା ବାମଣ୍ଡା ରାଜ ପରିବାରର ସଦସ୍ୟା ରାଣୀ ଅରୁନ୍ଧତୀ ଦେବୀ, ଦେବଗଡ଼ ପ୍ରଭାରୀ ଧିରେନ ସେନାପତି, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକ, ଦେବଗଡ଼ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ, ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ସାହୁ ମଞ୍ଚାସୀନ ଥିଲେ । ଏଥିରେ ଜିଲ୍ଲା ବିଜେପିର ବହୁ କର୍ମୀ ଉପସ୍ଥିତ ଥିଲେ ।