ଫି’ ଛାଡ଼ ପାଇଁ ଅଭିଭାବକଙ୍କ ସ୍କୁଲ ଘେରାଉ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ସ୍ଥିତ ବିବେକାନନ୍ଦ ଇଣ୍ଟରନେସନାଲ ସ୍କୁଲର ୨୦୨୦-୨୧ ଶିକ୍ଷା ବର୍ଷରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଫି’ ଛାଡ଼ କରିବା ପାଇଁ ଅଭିବାବକମାନେ ଦାବି କରିଛନ୍ତି। ଚଳିତ ବର୍ଷ ସ୍କୁଲ ଖୋଲି ନଥିଲେ ମଧ୍ୟ ବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ୬ ମାସର ଫି’ ପ୍ରଦାନ କରିବା ପାଇଁ ଅଭିଭାବକଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି। ଅନଲାଇନ ମାଧ୍ୟମରେ ପାଠ ପଢ଼ା ଯାଉଛି କହି ହ୍ୱାଟ୍ସଆପ୍ ଗ୍ରୁପରେ କେବଳ ଛାତ୍ରଛାତ୍ରୀଙ୍କୁ ହୋମୱାର୍କ ପ୍ରଦାନ କରାଯାଉଛି। ସେହିପରି ଛାତ୍ରଛାତ୍ରୀମାନେ ଦିନଟିଏ ବିଦ୍ୟାଳୟକୁ ଆସି ନଥିବାବେଳେ କରୋନା ପରି ମହାମାରୀ ସମୟରେ ସେମାନଙ୍କ ଅଭିଭାବକଙ୍କୁ ଫି’ ପାଇଁ ବାଧ୍ୟ କରିବା ଅନ୍ୟାୟ ବୋଲି କହିଛନ୍ତି। କରୋନା କଟକଣା ଯୋଗୁ ଲୋକେ କାମଧନ୍ଦା ହରାଇଥିବାବେଳେ କିପରି ୬ ମାସର ଫି’ ପ୍ରଦାନ କରିବେ ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ବିଦ୍ୟାଳୟ ପକ୍ଷରୁ ସ୍କୁଲ ଫି’ ଛାଡ଼ କରାଯାଉ ବୋଲି ଦାବି କରି ଆଜି ଅଭିଭାବକମାନେ ବିବେକାନନ୍ଦ ଇଣ୍ଟରନେସନାଲ ସ୍କୁଲକୁ ଘେରାଉ କରିଥିଲେ। ତେବେ ବିଦ୍ୟାଳୟ ପ୍ରିନ୍ସିପାଲ ଅମୀର ଦାସ ଅବିଭାବକଙ୍କୁ ବୁଝାସୁଝା କରି ବିଦ୍ୟାଳୟ ପରିଚାଳନା କମିଟି ଫି’ ବାବଦରେ ସମସ୍ତ ନିଷ୍ପତ୍ତି ନେଇଥାଏ ବୋଲି କହିଥିଲେ। ତେଣୁ ପରିଚାଳନା କମିଟି ଓ ଅଭିଭାବକଙ୍କ ମଧ୍ୟରେ ଏକ ବୈଠକ କରାଯାଇ ଏହା ଉପରେ ନିିଷ୍ପତ୍ତି ନିଆଯିବ। ସେହିପରି ସ୍କୁଲ ଫି’ ଛାଡ଼ ନେଇ ଏବେ ହାଇକୋର୍ଟରେ ବିଚାରଧୀନ ରହିଛି। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଫି’ ଆଦାୟ ଅଥବା ଛାଡ଼ କରାଯିବ ବୋଲି ଶ୍ରୀ ସାହୁ କହିବା ପରେ ଅଭିଭାବକମାନେ ଶାନ୍ତ ହୋଇ ଘରକୁ ଫେରିଥିଲେ।