ଦେବଦାସୀ ପରସମଣି ଆଉ ନାହାନ୍ତି, କିଛିଦିନ ହେଲା ଥିଲେ ଅସୁସ୍ଥ

ପୁରୀ,ଏନ୍ଏନ୍ଏସ୍: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ସାରା ଜୀବନ ଉତ୍ସର୍ଗୀକୃତ ଥିବା ପରସମଣି ଦେବଦାସୀଙ୍କ ଦେହାନ୍ତ ହୋଇଯାଇଛି। ପୁରୀ ବାସେଳୀସାହିରେ ଜନ୍ମ ଗ୍ରହଣ କରିଥିବା ଦେବଦାସୀ ପରସମଣି ୮୪ ବର୍ଷ ବୟସରେ ନିଜସ୍ୱ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ଦେବଦାସୀ ୯ ବର୍ଷ ବୟସରୁ ଶାଢ଼ି ବାନ୍ଧି ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ। ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ ମାଧ୍ୟମରେ ନିଜକୁ ଉତ୍ସର୍ଗ କରିଥିଲେ ଦେବଦାସୀ ପରସମଣି। ଏହା ବ୍ୟତୀତ ମହାପ୍ରଭୁଙ୍କ ଭିତର ସେବା କରିବା ସହ ମାଜଣା ମଣ୍ଡପରେ ଗୀତଗୋବିନ୍ଦ ଗାନ କରୁଥିଲେ। କିଛି ଦିନ ହେବ ପରସମଣି ଦେବଦାସୀ ଅସୁସ୍ଥ ହୋଇ ପଡ଼ିଥିବାବେଳେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ପୁରୀ ସହରରେ ଥିବା ସମସ୍ତ କଳାକାର, ନୃତ୍ୟଶିଳ୍ପୀ ଓ ପୁରୀ ବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।