୨.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡା,ଏନ୍ଏନ୍ଏସ୍: ପଡ଼ୋଶୀ କୋରାପୁଟ ଜିଲ୍ଲାରୁ ଖୋର୍ଦ୍ଧାକୁ ବେଆଇନ ଭାବେ ଗଞ୍ଜେଇ ଚୋର ଚାଲାଣ ବେଳେ ଅଭିଯୁକ୍ତକୁ ଧରିବାରେ ଅବକାରୀ ଟିମକୁ ମିଳିଛି ବଡ଼ ସଫଳତା। ୨ କ୍ୱିଣ୍ଟାଲ ୫୮ କେଜି ୪୫୦ ଗ୍ରାମର ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଏଥିସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଜିଲ୍ଳା ସଦର ଅବକାରୀ ଥାନା ପୁଲିସ। ଗିରଫ ଅଭିଯୁକ୍ତଙ୍କ ନା ସୁରେଶ ସାହୁ ବୋଲି ଜଣାପଡିଛି।

ସମ୍ପ୍ରତି ରାୟଗଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବରପାଇ ଗତକାଲି ବିିଳମ୍ବିତ ରାତ୍ରିରେ ସଦର ଅବକାରୀ ଥାନା ଓଆଇସି ସୂର୍ଯ୍ୟ ନାରାୟଣ ରଥଙ୍କ ନେତୃତ୍ୱରେ ସହରର ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମୁଖ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ଜିଲ୍ଲା ପୁଲିସ ନାକା ଚେକିଂ ପଏଣ୍ଟ ଠାରେ ଅବକାରୀ ଥାନା ଷ୍ଟାଫ୍ ଉପସ୍ଥିତ ରହି ଗାଡିଗୁଡିକୁ ଯାଞ୍ଚ କରିଥିଲେ। ଏହି ସମୟରେ ଏକ ବୋଲେରୋ ଗାଡି (ଓଡି-୦୨ଏଫ-୭୭୫୪)କୁ ସନ୍ଦେହ କରି ଅଟକାଇ ଯାଂଚ କରିବା ବେଳେ ଉକ୍ତ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା।

ଗାଡିର ଡ୍ରାଇଭର ସୁରେଶ ସାହୁକୁ ଅଧିକ ପଚରାଉଚୁରା କରିବା ପରେ କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରୁ ଖୋର୍ଦ୍ଧା ସହରକୁ ଏହି ଗଞ୍ଜେଇ ସେ ବେଆଇନ ଭାବେ ବିକ୍ରି କରିବାକୁ ନେଉଥିବା ସ୍ୱୀକାର କରିଥିଲା। ପରେ ଗଞ୍ଜେଇ ଲୋଡ୍ ଥିବା ବୋଲେରୋ ଗାଡିକୁ ଅବକାରୀ ଥାନା ପରିସରରେ ଆଣି ରଖାଯାଇଥିବା ବେଳେ ଗାଡି ଭିତରେ ଥିବା ୯ଟି ବସ୍ତାକୁ ଓଜନ ପରେ ଏଥିରେ ୨୫୮କେଜି ୪୫୦ ଗ୍ରାମର ଗଞ୍ଜେଇ ଥିବା ଜଣାପଡିଥିଲା। ଯାହାର ବଜାରରେ ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏନେଇ ଅବକାରୀ ଥାନାରେ କେସ ନମ୍ବର ୧୧୦/୨୧ରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।