ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ପାପଡ଼ାହାଣ୍ଡି ଗୁଳିକାଣ୍ଡ ଦିବସ ତଥା ସହିଦ ଦିବସ ପାଳିତ ହୋଇଯାଇଛି । ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ ଆଜିର ଦିନରେ ପାପଡ଼ାହାଣ୍ଡି ଟୁରି ନଦୀ କୂଳରେ ଇଂରେଜଙ୍କ ଅତର୍କିତ ଗୁଳିମାଡ଼ରେ ୧୯ଜଣ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ । ସେହି ସହିଦଙ୍କ ସ୍ମୃତିରେ ଏହି ସହିଦ ଦିବସ ପାଳିତ ହୋଇଆସୁଛି । ପାପଡ଼ାହାଣ୍ଡିରେ ସହିଦ ମଶାଲ ପହଞ୍ଚିବା ପରେ ଅତିଥିଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା । ପରେ ଏକ ବିଶାଳ ଶୋଭାଯାତ୍ରାରେ ସହିଦ ମିନାରରେ ମଶାଲ ପହଞ୍ଚିବା ପରେ ସହିଦ ସ୍ତମ୍ଭରେ ମଶାଲକୁ ସ୍ଥାପନ କରାଯାଇଥିଲା । ପରେ ଟୁରି ନଦୀ କୂଳରେ ଅତିଥିଙ୍କ ଦ୍ୱାରା ସହିଦଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପୁଲିସ ପ୍ରଶାସନ ତରଫରୁ ସହିଦଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ସର୍ବଧର୍ମ ପ୍ରାର୍ଥନା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅତିଥିଙ୍କ ଦ୍ୱାରା ସ୍ୱାଧୀନତା ଆନ୍ଦୋଳନରେ ନବରଙ୍ଗପୁର ଜିଲ୍ଲା ଓ ପାପଡାହାଣ୍ଡି ଗୁଳିକାଣ୍ଡର ଭୂମିକା ସମ୍ପର୍କରେ ବର୍ଣ୍ଣନା କରାଯିବା ସହିତ ସହିଦଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ରାଜ୍ୟ ଆଦିବାସୀ ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ସହିଦ ସ୍ମୃତି ସଂଘ ରାଜ୍ୟ ସଭାପତି ମୁନ୍ନା ତ୍ରିପାଠୀ, ପାପଡ଼ହାଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ହେମଲତା ମାଝୀ ଓ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଶେଷରେ ସହିଦ ପରିବାରର ଦାୟାଦଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।