ଡ୍ରଗ୍ସ ବିରୋଧରେ ଯୁବ ବର୍ଗଙ୍କୁ ସଚେତନ କରିବେ ପଙ୍କଜ ତ୍ରିପାଠୀ, ଏନସିବିକୁ କରିବେ ସହଯୋଗ

ନୂଆଦିଲ୍ଲୀ,ଏଜେନ୍ସି: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ସମୟରେ ବଲିଉଡ ଇଣ୍ଡଷ୍ଟ୍ରିଜରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ୍‌ ହୋଇଥିଲା। ତେଣୁ ନିଶା ଦ୍ରବ୍ୟର ଦୁର୍ବ୍ୟବହାର ଓ ଚୋରା ଚାଲାଣ ବିରୋଧରେ ଅଭିଯାନ ପାଇଁ କଳାକାର ପଙ୍କଜ ତ୍ରିପାଠୀ ଏନସିବି ସହିତ ହାତ ମିଳାଇଛନ୍ତି। ଆଜି ଅର୍ଥାତ୍ ଆନ୍ତର୍ଜାତୀୟ ଡ୍ରଗ୍ସ ବିରୋଧ ଦିବସରେ ପଙ୍କଜ ତ୍ରିପାଠୀ ଏକ ମହତ୍ୱପୂର୍ଣ୍ଣ ବାର୍ତ୍ତା ସହିତ ଏନସିବିକୁ ସମର୍ଥନ ଜଣାଇଛନ୍ତି। ଏଥିସହିତ ସେ ଏକ ବାର୍ତ୍ତା ରେକର୍ଡ କରିଛନ୍ତି।

ସମସ୍ତେ ଡ୍ରଗ୍ସଠୁ ଦୂରେଇ ରହିବା ସହିତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଧ୍ୟାନ କେନ୍ଦ୍ରିତ କରିବାକୁ ସେ କହିଛନ୍ତି। ଏନେଇ ସେ ମିଡ଼ିଆକୁ କହିଛନ୍ତି କି, ମତେ ଲାଗୁଛି ଯେ ଆଜିର ପିଢ଼ିକୁ ନିଶା ଦ୍ରବ୍ୟ ଠାରୁ ଦୂରେଇ ରଖିବାରେ ସଚେତନତା ହିଁ ସବୁଠାରୁ ବଡ଼ ପଦକ୍ଷେପ। ନିଶା ଦ୍ରବ୍ୟଠାରୁ ଦୂରେଇ ରହିବା ସହିତ ଜୀବନର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଆମକୁ ସେମାନଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକ ରହିଛି। ଦେଶ ଓ ଦୁନିଆରେ ନିଶା ଦ୍ରବ୍ୟର ଦୁର୍ବ୍ୟବହାର ବିରୋଧରେ ଲଢ଼େଇକୁ ମୁଁ ସମର୍ଥନ କରୁଛି ଓ ଆଶା କରୁଛି ଯେ ଗୋଟେ ଦିନ ଆମେ ଜିତିବୁ।