ଦୀପାବଳୀ ପୂର୍ବରୁ ସାମ୍ନାକୁ ଆସିଲା ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ପୁଣିଥରେ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ନିୟମ ଉଲଂଘନ କରିଛି। ଜମ୍ମୁ-କଶ୍ମୀରର ତଙ୍ଗଧାରରେ ପାକିସ୍ତାନ ତରଫରୁ ଜବରଦସ୍ତ ଗୁଳିବର୍ଷଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଭାରତୀୟ ସେନା ଏହାର ଜବାବ ଦେବାକୁ ଯାଇ ମଧ୍ୟ ଗୁଳିବର୍ଷଣ କରିଥିଲେ। ଫଳରେ ୨ ଯବାନଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ସ୍ଥାନୀୟ ଲୋକଙ୍କ ନିଧନ ହୋଇଛି। ହେଲେ ଗତ କିଛିବର୍ଷ ହେବ ତଙ୍ଗଧାରରେ ଗୁଳିବର୍ଷଣ ହୋଇନଥିଲେ ମଧ୍ୟ ଏବେ ଏହି ସେକ୍ଟରକୁ ଟାର୍ଗେଟ କରାଯାଇଛି।

ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ତଙ୍ଗଧାରରେ ଜବରଦସ୍ତ ଗୁଳିବର୍ଷଣ ହେଉଥିବା ଯୋଗୁ ଲୋକେ ବଙ୍କରରେ ଲୁଚିବାକୁ ବାଧ୍ୟ ହୋଇଛନ୍ତି। ଗୁଳିବର୍ଷଣର ରେଞ୍ଜ ବଢ଼ି ତଙ୍ଗଧାରର ମୁଖ୍ୟ ବଜାରରେ ପହଞ୍ଚିଗଲାଣି। ଆଉ ସେଠାରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା କର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ, ନିୟନ୍ତ୍ରଣ ରେଖା ପାଖରେ ଥିବା ୩ଟି ସେକ୍ଟର ଶାହପୁର, କିରନୀ ଓ କସବାରେ ପାକିସ୍ତାନ ସକାଳ ୯ଟା ବେଳେ ଅସ୍ତ୍ରବିରତି ଉଲଂଘନ କରି ଗୁଳିବର୍ଷଣ କରିଥିଲା। ପରେ ଭାରତୀୟ ସେନା ଏହାର ଜବାବ ଦେଇଥିଲା।