ପାକିସ୍ତାନ ଆଣିଲା ନୂଆ ଆଇନ: ଅଭ୍ୟାସଗତ ବଳାତ୍କାରୀଙ୍କୁ କରାଯିବ ନପୁଂସକ

ଇସଲାମାବାଦ,ଏଜେନ୍ସି: ମଧ୍ୟପ୍ରାଚ୍ୟ ଇସଲାମୀୟ ରାଷ୍ଟ୍ରଗୁଡିକରେ ଦୁଷ୍କର୍ମକାରୀଙ୍କ ପ୍ରତି ସର୍ବସାଧାରଣରେ ଫାଶୀ ଭଳି କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ପଡୋଣୀ ପାକିସ୍ତାନ ମଧ୍ୟ ଏ ପ୍ରସଙ୍ଗରେ ଦୋଷୀଙ୍କ ଦଣ୍ଡବିଧାନ ନିମନ୍ତେ ନୂତନ ଆଇନ ପ୍ରଣୟନ କରିଛି। ତଦନୁଯାୟୀ ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କୁ ରାସାୟନିକ ପଦ୍ଧତିରେ ନପୁଂସକ କରିବାକୁ ପାକ୍ ପାର୍ଲାମେଣ୍ଟ ବୁଧବାର ନୂତନ ଆଇନ ପ୍ରଣୟନ କରିଛି। ଏଥିପାଇଁ ପାକିସ୍ତାନ ପିଙ୍ଗଳ କୋଡ୍ ୧୮୬୦ ଓ ପାକିସ୍ତାନ ଫୌଜଦାରୀ ଦଣ୍ଡବିଧି ଆଇନ ୧୮୯୮ରେ ଆବଶ୍ୟକ ସଂଶୋଧନ କରାଯାଇଛି।

ଯେଉଁ ବ୍ୟକ୍ତି କ୍ରମାଗତଭାବେ ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତ ହେବେ, ସେମାନଙ୍କୁ ଔଷଧ ମାଧ୍ୟମରେ ଆଜୀବନ ନପୁଂସକ କରାଯିବ। ଫଳରେ ଜୀବନର ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ସେମାନେ ଯୌନକ୍ରିୟାରୁ ବଞ୍ଚିତ ହେବେ ବୋଲି କୁହାଯାଇଛି। ପାକିସ୍ତାନ ରାଷ୍ଟ୍ରପତି ଅରିଫ୍ ଆଲ୍‌ଭି ଏହି ଆଇନକୁ ମୋହର ମାରିଥିବା ଜଣାପଡିଛି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ସପକ୍ଷରେ ଥିଲେ ସୁଦ୍ଧା ଆନ୍ତର୍ଜାତିକ ସମାଲୋଚନାକୁ ଭୟ କରି ଏଭଳି ବିକଳ୍ପ ବ୍ୟବସ୍ଥାରେ ରାଜି ହୋଇଛନ୍ତି।