ଚେସ୍ ଅଲିମ୍ପିଆଡ୍ ଟିମ୍‌ରେ ପଦ୍ମିନୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇଠାରେ ଆୟୋଜିତ ହେବାକୁ ଥିବା ୪୪ ତମ ଚେସ୍ ଅଲିମ୍ପିଆଡ୍ ସକାଶେ ସୋମବାର ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍‌) ପକ୍ଷରୁ ଏକ ୨୦ଜଣିଆ ଟିମ୍ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ପଦ୍ମିନୀ ରାଉତ ସ୍ଥାନ ପାଇଛନ୍ତି।

ପ୍ରଥମ ଥର ପାଇଁ ପ୍ରତିଯୋଗିତାରେ ଓପନ୍ ଓ ମହିଳା ବିଭାଗରେ ଭାରତ ପକ୍ଷରୁ ଦୁଇଟି ଲେଖାଏଁ ଟିମ୍ ଭାଗନେବେ। ଏହି ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ଦେଶରୁ ଦେଢ଼ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଉଛନ୍ତି। ପ୍ରଥମ ମହିଳା ଦଳରେ କୋନେରୁ ହମ୍ପି, ବିଶ୍ୱର ୧୦ ନମ୍ବର ଖେଳାଳି ହାରିକା ଦ୍ରୋଣାବଲୀ, ତାନିଆ ସଚଦେବ, ଆର. ବୈଶାଳୀ ଓ ଡେବ୍ୟୁ କରିବାକୁ ଥିବା ଭକ୍ତି କୁଲକର୍ଣ୍ଣି ରହିଛନ୍ତି।

ସେହିପରି ମହିଳା ବିଭାଗରେ ଦ୍ୱିତୀୟ ଟିମ୍‌ରେ ପଦ୍ମିନୀଙ୍କ ସହ ଜାତୀୟ ଚାମ୍ପିଅନ୍ ସୌମ୍ୟା ସ୍ୱାମୀନାଥନ୍‌, ମାରି ଆନ୍ ଗୋମ୍ସ, ବନ୍ତିକା ଅଗରୱାଲ୍ ଓ ୧୫ ବର୍ଷୀୟା ଦିବ୍ୟା ଦେଶମୁଖ ରହିଛନ୍ତି। ପ୍ରତିଯୋଗିତାରେ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥନ୍ ଆନନ୍ଦ ଭାରତୀୟ ଖେଳାଳିଙ୍କ ପାଇଁ ମେଣ୍ଟର୍ ଦାୟିତ୍ୱ ତୁଲାଇବେ।