ଆଇଡବ୍‌ଲ୍ୟୁଏଫ୍ ଜୁନିୟର୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌; ହର୍ଷଦାଙ୍କୁ ରେକର୍ଡ ସ୍ୱର୍ଣ୍ଣ

ହେରାକଲିଅନ୍‌,ଏଜେନ୍ସି: ଏଠାରେ ଆରମ୍ଭ ହୋଇଥିବା ଆଇଡବ୍‌ଲ୍ୟୁଏଫ୍ ଜୁନିୟର୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ୱେଟ୍‌ଲିଫ୍ଟର ହର୍ଷଦା ଶରଦ ଗରୁଡ଼ ରେକର୍ଡ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା ୪୫ କିଗ୍ରା ଓଜନ ବର୍ଗରେ ସେ ମୋଟ ୧୫୩ କିଗ୍ରା ଭାର ଉଠାଇ ଭାରତ ପାଇଁ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ୱର୍ଣ୍ଣପଦକ ଅର୍ଜନ କରିଛନ୍ତି।

ହର୍ଷଦା ସ୍ନାଚ୍‌ରେ ୭୦ କିଗ୍ରା ଉଠାଇ ଏକ ନମ୍ବରରେ ରହିଥିବା ବେଳେ କ୍ଲିନ୍ ଏଣ୍ଡ୍ ଜର୍କରେ ୮୩ କିଗ୍ରାର ଭାର ଉତ୍ତୋଳନ ଦ୍ୱିତୀୟ ସର୍ବଶ୍ରେଷ୍ଠ ରହିଥିଲା। ଏହି ଇଭେଣ୍ଟ୍‌ରେ ତୁର୍କୀର ବେକଟାସ୍ ଚାନ୍‌ସୁ ୧୫୦ କିଗ୍ରା ଓଜନ ସହ ରୌପ୍ୟ ଓ ମୋଲ୍‌ଡୋଭାର ହିନ୍‌କୁ ଟିଓଡୋରା-ଲୁମିନିଟା ୧୪୯ କିଗ୍ରା ସହ ବ୍ରୋଞ୍ଜ୍ ପଦକ ପାଇଛନ୍ତି। ଏହି ଓଜନ ବର୍ଗରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଅଞ୍ଜଳି ପଟେଲ୍ ୧୪୮ କିଗ୍ରା ଓଜନ ଉଠାଇ ପଞ୍ଚମ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗିତାରେ ପୂର୍ବରୁ ମୀରାବାଈ ଚାନୁ ଓ ଅଚିନ୍ତା ଶିଉଲି ଯଥାକ୍ରମେ ବ୍ରୋଞ୍ଜ୍ ଓ ରୌପ୍ୟ ପଦକ ପାଇଛନ୍ତି।