କରୋନା ସଂକ୍ରମିତ ହୋଇ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ହସ୍ପିଟାଲରେ ଭର୍ତ୍ତି, ମୁଖ୍ୟମନ୍ତ୍ରୀ କଲେ ଆରୋଗ୍ୟ କାମନା

କଟକ,ଏନ୍ଏନ୍ଏସ୍: କରୋନାରେ ସଂକ୍ରମିତ ହେବା ପରେ ବିଶିଷ୍ଟ ଇଂରାଜୀ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୦ ବର୍ଷୀୟ କବି ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲା ବେଳେ ତାଙ୍କର କୋଭିଡ ଟେଷ୍ଟ ପଜିଟିଭ୍ ରହିଥିବା ଜଣାପଡିଛି।

ଏସସିବି ସୁପରିଟେଣ୍ଡେଣ୍ଟ ଲୁସି ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଶ୍ରୀ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଅକ୍ସିଜେନ ସପୋର୍ଟ ଯୋଗାଇ ଦିଆଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଅକ୍ସିଜେନ ସ୍ତର ୯୬-୯୭ ରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଲେଖିଛନ୍ତି ଯେ, ବିଶିଷ୍ଟ କବି ଶ୍ରୀ ଜୟନ୍ତ ମହାପାତ୍ର କୋଭିଡ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି। ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।