ପଦ୍ମନାଭସ୍ୱାମୀ ମନ୍ଦିରର ଇତିହାସ

କେରଳର ଥିରୁଅନନ୍ତପୁରମ୍‌ ରେ ଅବସ୍ଥିତ ଭଗବାନ ବିଷ୍ଣଙ୍କର ପ୍ରସିଦ୍ଧ ମନ୍ଦିର ପଦ୍ମନାଭସ୍ୱାମୀଏକ ଐତିହାସିକ ବୈଷ୍ଣବ ମନ୍ଦିର। ଏହା ଏକ ପର୍ଯ୍ୟଟନ ସ୍ଥଳ ମଧ୍ୟ। ମନ୍ଦିରଟି ତା’ର ମୂଲ୍ୟବାନ ହୀରା ନୀଳାର ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଥାଏ। ଏହି ମନ୍ଦିରଟିକୁ ତ୍ରାବଣକୋରର ରାଜାମାନେ ନିର୍ମାଣ କରିଥିଲେ। ଏହି ମନ୍ଦିର ବିଷୟରେ ନଅ ଶତାବ୍ଦୀର ଗ୍ରନ୍ଥରେ ମଧ୍ୟ ବର୍ଣ୍ଣନା ହୋଇଛି। ବର୍ତ୍ତମାନ ମନ୍ଦିରର ଆକାର ଅଷ୍ଟଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ୧୭୫୦ ରେ ମହାରାଜା ମାର୍ତ୍ତଣ୍ଡ ବର୍ମା ନିଜକୁ ପଦ୍ମନାଭଦାସ ବୋଲି କହୁଥିଲେ। ଏହା ପରେ ଏହି ରାଜପରିବାରର ଲୋକମାନେ ଭଗବାନ ପଦ୍ମନାଭଙ୍କ ପାଖରେ ନିଜକୁ ସମର୍ପଣ କରିଥିଲେ। ତଥ୍ୟ ଅନୁସାରେ ତ୍ରାବଣକୋର ରାଜାମାନେ ନିଜର ସମ୍ପତ୍ତି ପଦ୍ମନାଭ ମନ୍ଦିରକୁ  ସମର୍ପଣ କରିଦେଇଥିଲେ।

ତ୍ରାବଣକୋର ରାଜାମାନେ ୧୯୪୭ ମସିହା ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ସ୍ୱାଧୀନତା ପରେ ଏହିରାଜବଂଶର ବିଲୟ କରିଦିଆଯାଇଥିଲା। ଏହି ମନ୍ଦିରକୁ ସରକାର ନିଜ ଅଧୀନକୁ ନେଇ ନଥିଲେ। ଏବେ ମଧ୍ୟ ସେହି ରାଜ ପରିବାରର ଏକ ବେସରକାରୀ ଟ୍ରଷ୍ଟ ଏହାର ତତ୍ତ୍ୱାବଧାନର ଦାୟିତ୍ୱ ନେଇଛି। ସେ ମନ୍ଦିରରେ ଥିବା ଭଗବାନ ବିଷ୍ଣୁଙ୍କର ବିଶ୍ରାମ ଅବସ୍ଥାର ମୂର୍ତ୍ତିକୁ ପଦ୍ମନାଭ କୁହାଯାଉଛି। ପୌରାଣିକ କଥା ଅନୁସାରେ ପ୍ରଥମେ ସେହି ସ୍ଥାନରେ ଭଗବାନ ବିଷ୍ଣୁଙ୍କର ପ୍ରତିମା ମିଳିଥିଲା ଓ ପରବର୍ତ୍ତୀ ସମୟରେ ସେଠାରେ ମନ୍ଦିର ନିର୍ମାଣ କରାଯାଇଥିଲା। ମନ୍ଦିରର ନିର୍ମାଣ ରାଜା ମାର୍କଣ୍ଡେୟ କରିଥିଲେ ଓ ମନ୍ଦିରରେ ଏକ ସ୍ୱର୍ଣ୍ଣସ୍ତମ୍ଭ ମଧ୍ୟ ନିର୍ମାଣ କରାଯାଇଛି। ମନ୍ଦିରରେ ପ୍ରବେଶ ପାଇଁ ପୁରୁଷମାନଙ୍କୁ ଧୋତି ଓ ମହିଳାମାନଙ୍କୁ ଶାଢ଼ି ପିନ୍ଧିବା ଅନିବାର୍ଯ୍ୟ ଅଟେ। ଏହି ମନ୍ଦିରରେ ଭଗବାନ ବିଷ୍ଣୁ ଶେଷନାଗ ଉପରେ ଶୟନମୁଦ୍ରାରେ ବିରାଜମାନ ଅଛନ୍ତି। ଥିରୁଅନନ୍ତପୁରମ୍‌ ନାମ ଭଗବାନ ‘ଅନନ୍ତ’ ନାମକ ନାଗଙ୍କ ଅନୁସାରେ ରଖାଯାଇଛି।