ଏଣିକି ଝୋଟ ବ୍ୟାଗରେ ଖାଦ୍ୟଶସ୍ୟ ପ୍ୟାକିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ,ଏଜେନ୍ସି: ଏଣିକି ଖାଦ୍ୟାଶସ୍ୟ ପ୍ୟାକିଂ ପାଇଁ ଝୋଟରେ ତିଆରି ବ୍ୟାଗ ବ୍ୟବହାର କରିବା ବାଧ୍ୟତାମୂଳକ ହେବ । କେନ୍ଦ୍ର କ୍ୟାବିନେଟ୍ ଏହି ନିଷ୍ପତ୍ତି ନିଆଯାଇଛି । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ସେ କହିଛନ୍ତି, ଝୋଟରେ ତିଆରି ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଶତପ୍ରତିଶତ ଖାଦ୍ୟଶସ୍ୟ ଏବଂ ୨୦ ପ୍ରତିଶତ ଚିନି ଝୋଟ ବ୍ୟାଗରେ (ଅଖା)ରେ ପ୍ୟାକ୍ ହେବ ।

ଏକ କମିଟି ଏହି ବ୍ୟାଗଗୁଡିକର ମୂଲ୍ୟ ସ୍ଥିର କରିବ । ଜାଭଡେକର କହିଛନ୍ତି ଯେ ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଅନୁଯାୟୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଇଥାନଲ ଖର୍ଦ୍ଦି ପାଇଁ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି । ଏହାଛଡ଼ା ଦେଶରେ ୭୩୬ଟି ନିର୍ଦ୍ଦିଷ୍ଟ ଡ୍ୟାମ୍‌ର ସୁରକ୍ଷା ଏବଂ କ୍ଷମତା ବୃଦ୍ଧିନିମନ୍ତେ କେନ୍ଦ୍ର କ୍ୟାବିନେଟ୍ ଡ୍ୟାମ୍ ସମ୍ପର୍କିତ ପୁନର୍ବାସ ଏବଂ ଉନ୍ନତି ପ୍ରକଳ୍ପର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ କରିଛି । ଏହି ପ୍ରକଳ୍ପ ପାଇଁ ୧୦,୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ।