ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି, ନବୀନ..ନବୀନରେ କମ୍ପିଲା ବାଲେଶ୍ୱର

ବାଲେଶ୍ୱର,ଏନଏନଏସ୍‌: ନବୀନ..ନବୀନରେ କମ୍ପିଲା ବାଲେଶ୍ୱର । ଉପନିର୍ବାଚନ ପୂର୍ବରୁ କର୍ମୀଙ୍କ ଭିତରେ ଉତ୍ସାହଭରିବାକୁ ଗୁରୁବାର ବିଜେଡି ପକ୍ଷରୁ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଅନୁଷ୍ଠିତ ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି ବାଲେଶ୍ୱରର ବିକାଶର ଦାୟିତ୍ୱ ସେ ନିଜେ ନେବେ । ବାଲେଶ୍ୱରର ବିକାଶ ହେଉଛି ତାଙ୍କର ଲକ୍ଷ୍ୟ ।

ସେ ଆହୁରି କହିଥିଲେ ଆଜିର ଦିନକୁ ଓଡ଼ିଶାବାସୀ କେବେ ଭୁଲିପାରିବେ ନାହିଁ । ଆଜିକୁ ୨୧ବର୍ଷ ତଳେ ଅର୍ଥାତ ୧୯୯୯ମସିହାରେ ଆସିଥିବା ମହାବାତ୍ୟା ଓଡ଼ିଶାକୁ ଛାରଖାର କରିଦେଇଥିଲା । ଏହା ଫଳରେ ଓଡ଼ିଶାରେ ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ତେବେ ଓଡ଼ିଶା ବାସୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଓ ପରିଶ୍ରମ ଯୋଗୁଁ ଓଡ଼ିଶା ଆଜି ମୁଣ୍ଡ ଟେକି ଠିଆହୋଇଛି । ଏପରିକି ବିକାଶ ପଥରେ ମଧ୍ୟରେ ଆଗେଇ ଚାଲିଛି । ଆଜି ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାରା ବିଶ୍ୱପାଇଁ ଏକ ଉଦାହରଣ ପାଲଟିଛି । ଲୋକଙ୍କ ଜୀବନର ସୁରକ୍ଷା ସବୁବେଳେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି । ୨୦୧୩ମସିହାରେ ହୋଇଥିବା ଫାଇଲିନ ବାତ୍ୟା ସମୟରେ୧୦ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଓଡ଼ିଶାର ଏଇ ସଫଳତାକୁ ସବୁଆଡେ ପ୍ରଶଂସା କରାଯାଇଛି ।

ବନ୍ୟା,ବାତ୍ୟା,ମହାମାରୀ ସବୁ ବେଳେ ଲୋକଙ୍କ ସୁରକ୍ଷା ଉପରେ ଆଘାତ କରୁଛି । ଏଣୁ ରାଜ୍ୟ ସରକାର ଏହାର ସୁରକ୍ଷା କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଛଡା ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେ କି ସବୁ ଲୋକଙ୍କୁ ମାଗଣାରେ କୋଭିଡ ଚିକିତ୍ସା ଯୋଇଦେଇ ଆସିଛି । ଏପରିକି ଆମ ରାଜ୍ୟରେ କୋଭିଡ ସଙ୍କ୍ରମଣ ସଂଖ୍ୟା କମିଛି । କୋଭିଡ ଯୋଦ୍ଧାଙ୍କ ପାଇଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି । ରାଜ୍ୟରେ କୋଭିଡ ପରିଚାଳନାକୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିଛି । ମୁଁ ଆଜି ବାଲେଶ୍ୱର ଯାଇଥାଆନ୍ତି । ହେଲେ କୋଭିଡ ପାଇଁ ପାଇଁ ବାଲେଶ୍ୱର ଯାଇପାରୁନାହିଁ । ମୁଁ ଚାହେଁ ନାହିଁ ମୋ ପାଇଁ ଯେମିତି କେହି ଅସୁବିଧାରେ ପଡ଼ୁ । ସେଥିପାଇଁ ମୁଁ ଏହି ଭିଡିଓ ମାଧ୍ୟମରେ କଥାହେଉଛି । ବାଲେଶ୍ୱରର ବିକାଶ ପାଇଁ ସବୁବେଳେ ସହଯୋଗ କରିବା ସହ ଏହାର ବିକାଶକୁ ଆଗକୁ ନେବାକୁ ଚେଷ୍ଟାକରିବି ବୋଲି କହିଛନ୍ତି ନବୀନ । ନିକଟରେ ବାଲେଶ୍ୱରର ବସ୍ତି ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରତି ବସ୍ତିକୁ ଭଲ ରାସ୍ତା,ଭଲ ପିଇବା ପାଣି,ବିଜୁଳି ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଇଛି । ପ୍ରତି ବସ୍ତିକୁ ଗୋଟିଏ ଆଦର୍ଶ କଲୋନୀ କରାଯାଉଛି ।

ସେହିପରି ଗରିବ ଲୋକଙ୍କୁ ସବୁ ଅଧିକାର ମଧ୍ୟ ଦିଆଯାଉଛି । ସେହିପରି ଗାଁରେ ରହିଥିବା ଗରିବ ଲୋକଙ୍କୁ ଜମି,ପାଣି,ଗାଁର ରାସ୍ତା ବିଜୁଳି ଆଦି ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଉଛି ବୋଲି କହିଛନ୍ତି । ସେହିପରି ମିଶନ ଶକ୍ତିର ମା’ ମାନେ କୋଭିଡ କାମ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବହୁ ଭଲ କାମ କରୁଛନ୍ତି । ମା’ମାନଙ୍କ ଉନ୍ନତି ମୋତେ ବହୁତ ଖୁସି ଦେଇଥାଏ । ମୁଁ ସୁବେବେଳ ଆପଣଙ୍କ ସାଙ୍ଗରେ ରହିଛି । ବାଲେଶ୍ୱର ଆସିଲେ ଫକୀରମୋହନ ସେନାପତିଙ୍କ କଥା ମନେପଡେ ।

ଫକୀରମୋହନ ତାଙ୍କ ପସନ୍ଦର ଲେଖକ । ତାଙ୍କ ରଚିତ ରେବତୀ ତାଙ୍କୁ ସବୁବେଳେ ପ୍ରେରଣା ଯୋଗାଇଥାଏ । ଏହାଛଡା ବିଜୁ ବାବୁ ଏବଂ ଡ.ଏପିଜେ ଅବଦୁଲ କାଲାମଙ୍କ କଥା ମନେପଡ଼େ ବୋଲି ସେ କହିଛନ୍ତି । ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପୃଥ୍ୱୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ସାଧାରଣ ନିର୍ବାଚନକୁ ଆଉ ତିନି ବର୍ଷ ବାକି ରହିଥିବା ବେଳେ ଆହୁରି ବହୁତ କାମ କରିବାକୁ ବାକିରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଣୁ ମତଦାନ ପାଇଁ ସମସ୍ତେ ସତର୍କ ହୋଇ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।